ଉପୂକଳରେ ବଢିବନି ତାତି, ୧୨ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

Published By : Prameya-News7 Bureau | May 09, 2024 IST

ଭୁବନେଶ୍ୱର ୦୯।୦୫: ତାତିରୁ ମିଳିଲା ତ୍ରାହି । ଏବେ ରାଜ୍ୟରେ ୧୨ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ । ୧୫ ତାରିଖ ଯାଏ ଉପକୂଳ ଓଡ଼ିଶାରେ ରହିବନି ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ରହିପାରେ। ଉତ୍ତର ଓଡ଼ିଶାରେ ୧୨ରୁ ୧୪ ତାରିଖ ଯାଏ କାଳବୈଶାଖୀ ପ୍ରଭାବରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଓ ବାଲେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ସେହିଭଳି ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ୧୦ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୯ରୁ ୧୨ ତାରିଖ ଯାଏ ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ାରେ ଭାରୀ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ୧୦, ୧୨ ଓ ୧୪ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରରେ ୧୨ ଯାଏ ଓ ଉତ୍ତର ଆଭ୍ୟନ୍ତରରେ ୧୩ ଯାଏ ହାଲୁକା ବର୍ଷା ହେବ ।   ଦକ୍ଷିଣ ଆଭ୍ୟନ୍ତରରେ ବୌଦ୍ଧ, ନୂଆପଡ଼ା, ସୋନପୁର, ବଲାଙ୍ଗୀର, କଳାହାଣ୍ଡିରେ ୧୧ରୁ ତାତି ବଢ଼ିବ । ଏଠାରେ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ରହିପାରେ । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ରେ ୧୪ରୁ ପୁଣି ତାତି ବଢ଼ି ୪୧ରୁ ୪୨ ଡିଗ୍ରୀ ରହିବ । ୧୨ରୁ ଭୁବନେଶ୍ୱରରେ ତାତି ବଢ଼ିବ । ୧୬ ତାରିଖ ଯାଏ ୩୯ରୁ ୪୦ ଡିଗ୍ରୀ ତାପମାତ୍ରା ରହିବ ।

ସେହିପରି ମୌସୁମୀକୁ ନେଇ ସେ ଆକଳନ କରି କହିଛନ୍ତି, ମୌସୁମୀ ବାୟୁ ଏବେ ଦକ୍ଷିଣ ଗୋଲାର୍ଦ୍ଧରୁ ବିଷୁବରେଖା ଦେଇ ତଳକୁ ଯାଉଛି । ଆରବସାଗରରୁ କିଛି ପବନ ଆସୁଛି । ଏହା ପ୍ରଭାବରେ ଦକ୍ଷିଣ ତାମିଲନାଡୁ ଓ ଶ୍ରୀଲଙ୍କା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାଦ୍ୱାରା କେରଳ ଓ କର୍ଣ୍ଣାଟକରେ ୧୦ରୁ ୧୫ ତାରିଖ ଯାଏ ଭଲ ବର୍ଷା ହେବ । ମୌସୁମୀ ବାୟୁ ଯେବେ ବିଷୁବରେଖା ଅତିକ୍ରମ କରି ଉତ୍ତର ଭାରତ ମହାସାଗରକୁ ପ୍ରବାହିତ ହୁଏ, ସେବେ ମେଘ ସୃଷ୍ଟି ହେବା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଗତିଶୀଳ ହୁଏ । କିନ୍ତୁ ଏବେ ଏହା ସକ୍ରିୟ ହୋଇନି ବୋଲି ଡ. ପଶୁପାଳକ କହିଛନ୍ତି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୫ ଯାଏ ଉପକୂଳରେ ତାତି ବଢ଼ିବନି । ୧୨ରୁ ୧୪ ଯାଏ ଉତ୍ତର ଓଡ଼ିଶାରେ ବର୍ଷା ହେବ । କିନ୍ତୁ ଆଭ୍ୟନ୍ତରରେ ତାତି ରହିବ । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.