ବର୍ଷାରେ ବୁଡ଼ିଲା ରାଜଧାନୀ, IMD ଜାରି କଲା ଆଲର୍ଟ
8/07/2023 at 7:42 PM

ନୂଆଦିଲ୍ଲୀ, ୦୮/୦୭: ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ । ଶନିବାର ସକାଳୁ ରାଜଧାନୀ ସହ ଏନସିଆର ଅଞ୍ଚଳରେ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ଦିଲ୍ଲୀରେ ତାପମାତ୍ରା କମିଛି, କିନ୍ତୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସେପଟେ ପାଣିପାଗ ବିଭାଗ କହିଛି ପୂରା ଦିନ ବର୍ଷା ଲାଗିରହିବ। ତେବେ ଲଗାଣ ବର୍ଷା କାରଣରୁ ଦିଲ୍ଲୀର ଅନେକ ସ୍ଥାନ ଏବେ ସ୍ବିମିଂ ପୁଲ୍ ପାଲଟିଛି । ପାଣି ଜମିବା କାରଣରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏମିତିକି ଅନେକ ଗାଡ଼ି ପାଣିରେ ଫସି ରହିଛନ୍ତି।
କନଟ ପ୍ଲେସ, ଅକବର ରୋଡ, ମଟ୍ରୋ ବିଜ ଅଣ୍ଡରପାସରେ ଜଳମଗ୍ନ ହୋଇଛି। କରୋଲ ବାଗରେ କାନ୍ଥ ପଡ଼ି ଜଣେ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ିଛି ତ’ ପୁଣି ରାସ୍ତାରେ ଖାଲ ହୋଇଛି। ପ୍ରଗତି ମଇଦାନ ଟନେଲକୁ ବନ୍ଦ କରାଯାଇଛି। ଏଠାରେ ଖୁବ୍ ପାଣି ଜମିଥିଲା। ସୋନୀପତରେ ହାଲୁକା ବର୍ଷା ପରେ ପାଣି ଜମିଛି। କୁହାଯାଉଛି ପ୍ରାୟ ୫୬ଟି ସ୍ଥାନରେ ରାସ୍ତାରେ ପାଣି ଜମିଛି।
ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ସକାଳ ୮ଟାରୁ ଦ୍ବିପ୍ରହର ସାଢ଼େ ୨ଟା ପର୍ଯ୍ୟନ୍ତ ୯୦ରୁ ୧୧୦ ମିମି ବର୍ଷା ରେକର୍ଡ ହୋଇଛି। ଏହା ସହ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି।
ପାଣିପାଗ ବିଭାଗ ଜୁଲାଇ ୧୦ ପର୍ଯ୍ୟନ୍ତ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ବର୍ଷାକୁ ନେଇ ୟୋଲୋ ଓ୍ବାର୍ଣ୍ଣିଂ ଜାରି କରିଛି। ଦିଲ୍ଲୀ ପାଣିପାଗ ବିଭାଗ ମୁଖ୍ୟଙ୍କ କହିବା ଅନୁଯାୟୀ ଚଳିତ ସପ୍ତାହ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବ, ୨-୩ ଦିନ ପର୍ଯ୍ୟନ୍ତ ବର୍ଷାର ତୀବ୍ରତା ଅଧିକ ରହିବ ଏବଂ ତାହା ପରେ ତୀବ୍ରତା କମ୍ ହେବ।