ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ

Published By : Prameya-News7 Bureau | July 07, 2024 IST

ଭୁବନେଶ୍ୱର,୦୭/୦୭: ରଥଯାତ୍ରାରେ ଭିଜିବ ପୁରୀ । ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ । ଏମିତିକି ପ୍ରବଳ ବର୍ଷା ଆଶଙ୍କା ବି ରହିଛି । ଏହାସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ରବିବାର ପବିତ୍ର ରଥଯାତ୍ରା ଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ପୁରୀ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖ (ମଙ୍ଗଳବାର) ଓ ୧୦ ତାରିଖ (ବୁଧବାର) ବର୍ଷା ଅଳ୍ପ କିଛି ସ୍ଥାନରେ ହେବ । ୧୧ ଓ ୧୨ରେ ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି ।  ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧, ବଲାଙ୍ଗୀରରେ ୧୫, ଅନୁଗୁଳରେ ୧୦ ମିମି ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।

ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ହାରାହାରି ୧୯୮.୨ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକଠାରୁ ରାଜ୍ୟରେ ୨୫% ବର୍ଷା ନିଅଣ୍ଟିଆ ରହିଛି । ଏବେ ବି ୧୮ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିଛି । ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ଥିତି ସବୁଠୁ ଖରାପ । ମୟୂରଭଞ୍ଜରେ ୬୧% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ରହିଛି ବର୍ଷା । ଭଦ୍ରକରେ ୪୫%, କେନ୍ଦୁଝରରେ ୪୨%, ପୁରୀରେ ୪୩%, ଯାଜପୁରରେ ୩୭%, କଳାହାଣ୍ଡିରେ ୩୭%, ନୂଆପଡ଼ାରେ ୩୬%, ବଲାଙ୍ଗୀରରେ ୩୩%, ଅନୁଗୁଳରେ ୩୧% ବର୍ଷା କମ୍‌ ହୋଇଛି । ଏସବୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆଗେଇବାରେ ସମସ୍ୟା ଦେଖା ଦେଇଛି । ଏହାବାଦ୍‌ ରାୟଗଡ଼ା, ଗଜପତି, ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୁନ୍ଦରଗଡ଼ରେ ବର୍ଷା ନିଅଣ୍ଟିଆ ରହିଛି ।

କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ସୋନପୁର, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.