ଲଘୁଚାପ ପ୍ରଭାବରେ ୩ ଦିନ ବର୍ଷା : ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ-୧୧ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ, ବେହାଲ ହେଲାଣି ଅନୁଗୋଳ, ମାଲକାନଗିରି, ବାଙ୍କୀ, ଆଠଗଡ

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର, ୧୪|୦୮ :   ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ପାଇଁ ୭ଟି ଜିଲ୍ଳାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ  ଏବଂ ୧୧ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା ଯୋଗୁଁ ମାଲକାନଗିରି, ଅନୁଗୋଳ, ଆଠଗଡ଼, ବାଙ୍କୀରେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି ।

{"id":314634,"width":688,"height":440,"sizeSlug":"large"}

ରାଜ୍ୟରେ ଆହୁରି ୩ଦିନ ବର୍ଷିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ପାଇଁ ମାଲକାନଗିରି, ପୁରୀ, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ବଲାଙ୍ଗିରରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୋନପୁର, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

  ସେପଟେ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ମାଲକାନଗିରି ଜିଲ୍ଲା । କେଉଁଠି ପୋଲ ବୁଡ଼ି ଯାଇଛି ତ ଆଉ କେଉଁଠି ଲୋକଙ୍କ ଘରେ ପଶିଛି ପାଣି । ବାଙ୍କୁରୁକୋଣ୍ଡା, ପୋଟେରୁ ଓ ପାଙ୍ଗାମ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ପୋଲ ଉପରେ ୪ଫୁଟ ପାଣି ଚାଲୁଥିବାରୁ ଉଭୟ ପାଖରେ ଅନେକ ଯାନବାହାନ ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀର ପାଣି ଯୋଗୁଁ ଅନେକ ଗାଁ ଜଳ ମଗ୍ନ ହୋଇଛି । ବନ୍ୟା ଯୋଗୁଁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ବଦିଲି ଓ ଗୁମକା ପଞ୍ଚାୟତର ୬ ଟି ଗାଁର ଲୋକଙ୍କୁ ବନ୍ୟା ଅଶ୍ରୟ ସ୍ଥଳିକୁ ସ୍ତାନନ୍ତର କରାଯାଇଛି । ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ  ଫେରୁଥିବା କିଛି ଶ୍ରମିକଙ୍କୁ ଗତଚକାଲି ଠାରୁ କାଙ୍କୁରୁକୋଣ୍ଡା ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି । ଜିଲ୍ଲାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । 

ସେହିଭଳି ଆଠଗଡ଼ ପୁରୁଣା କଟକ ସମ୍ବଲପୁର ରାସ୍ତା ଦହିସରା ନିକଟରେ ରାସ୍ତା ଉପରେ ୨ଫୁଟର ପାଣି ଚାଲୁଥିବାରୁ ଯାତାୟତ ପ୍ରଭାବିତ ହୋଇଛି । କଣ୍ଟିଆ ନଦୀରେ ଜଳସ୍ତର ବଢ଼ିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

{"id":314635,"width":710,"height":387,"sizeSlug":"large"}

ଅନୁଗୁଳରେ ନନ୍ଦିରା ଜୋରରେ ଜଣେ ୬୫ବର୍ଷିୟ ବ୍ୟକ୍ତି ଭାସିଯାଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଗୁରୁଜାଙ୍ଗୁଲି ପଞ୍ଚାୟତ ଖୋଲୁଆ ଗାଁର ମହରଗା ସାହୁ । ସେ ଗାଈ ଚରାଇବାକୁ ଯାଇଥିବା ବେଳେ ପାଣି ସ୍ରୋତରେ ଭାସିଯାଇଥିଲେ ।

ପ୍ରବଳ ବର୍ଷା ଯୋଗୁଁ ବାଙ୍କୀ-ଖୋର୍ଦ୍ଧା ରାସ୍ତାରେ ନଦୀକୁଣ୍ଡା ଛୋଟ ପୋଲ ନିକଟରେ କରାଯାଇଥିବା ଆପ୍ରୋଚ୍‌ ରୋଡ଼୍‌ ଧୋଇଯାଇଛି । ଫଳରେ ଯାତ୍ରୀମାନେ ଅତ୍ୟନ୍ତ ବିପଦ ସଂକୂଳ ଅବସ୍ତାରେ ଥିବା ଛୋଟ ପୋଲ ଉପର ଦେଇ ଯିବା ଆସିବା କରୁଛନ୍ତି ।

ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର । ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଥିବା ଜିଲ୍ଲା ଉପରେ ସ୍ବତନ୍ତ ନଜର ରଖିବା ସହ ଖାଲୁଆ ଅଂଚଳରେ ପାଣି ଜମିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.