ଲାଗି ରହିଛି ବର୍ଷା, କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ଏବେ ଜଳମଗ୍ନ
13/09/2021 at 12:58 PM

କେନ୍ଦ୍ରାପଡ଼ା/ ମାର୍ଶାଘାଇ ୧୩।୦୯: ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ଉବୁଟୁବୁ। ୨ ଦିନ ଧରି ଲାଗି ରହିଥିବା ବର୍ଷା ପରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି। ବିଶେଷ କରି ସହରର ତଳି ଅଂଚଳରେ ପରିସ୍ଥିତି ଅଣାୟତ ହୋଇ ପଡିଛି। ଅନେକ ଅଞ୍ଚଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେନ୍ଦ୍ରାପଡା ପୌରାଞ୍ଚଳ ର କଜଳା, ତିନିମୁହାଣୀ, ମହିପାଳ, ମେଡିକାଲ ଅଂଚଳ, ଇମାମ ବାଡ଼ି, ରଣାପଡା ଆଦି ଅଞ୍ଚଳରେ ଲୋକମାନଙ୍କ ଘରେ ବର୍ଷା ପାଣି ପଶିଛି। ପ୍ରବଳ ବର୍ଷାରେ ରାସ୍ତାଘାଟ ଶୁନଶାନ ହୋଇ ପଡ଼ିଥିବା ବେଳେ ଦୋକାନ ବଜାର ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ପୌର ପରିଷଦ ପକ୍ଷରୁ ତଳିଆ ଅଞ୍ଚଳରେ ପ୍ରାୟ ୧୨ ଗୋଟି ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି। ଜଳବନ୍ଦୀ ଅବସ୍ଥାରେ ଥିବା ବସ୍ତି ଅଂଚଳର ଲୋକମାନଙ୍କ ପାଖରେ କୌଣସି ସହାୟତା ପହଞ୍ଚିନାହିଁ। ଗାଈ ଗୋରୁ ଏବଂ ଅନ୍ୟ ଗୃହପାଳିତ ପଶୁ ମଧ୍ୟ ଏହି ଲଗାଣ ବର୍ଷାରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି।

ସେହିପରି ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଏବଂ ଗରଦପୁର ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁ ମାନଙ୍କରେ ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହିଛି ପାଣି। ମାର୍ଶାଘାଇ ଜୟଚନ୍ଦ୍ରପୁର ଗାଁରେ ଜଳନିଷ୍କାସନ ହୋଇନପାରି ଗାଁ ରାସ୍ତା ଉପରେ ପାଣି ଜମି ରହିଛି । ବର୍ଷା ପାଣି ଜମି ରହି କେଉଁଠି ଘର ଭିତରେ ପଶିଗଲାଣି ତ କେଉଁଠି ଚାଳଛପର ଘରକୁ ଲାଗି କାନ୍ଥ ପଡିଲାଣି । ଛୋଟ ପିଲା ମାନଙ୍କୁ ଧରି ଘରେ ରହିବା ସମ୍ଭବ ହେଉନାହିଁ ।

ସବୁ ଆଡେ ବର୍ଷା ଜଳ ଜମି ରହିଥିବାରୁ ରୋଷେଇ କରି ଖାଇବା ମଧ୍ୟ ସମ୍ଭବପର ହୋଇପାରୁନଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ରାସ୍ତାରେ ପାଣି ଜମି ରହିଥିବାରୁ ଗ୍ରାମବାସୀ ମାନଙ୍କୁ ପାଣିରେ ପଶି ଯିବା ଆସିବା କରିବାକୁ ପଡୁଛି । ଫଳରେ ବାରମ୍ବାର ଓଦା ହେବା ଯୋଗୁଁ ଜ୍ବର , ଥଣ୍ଡା , କାଶ ହେବା ସହ ଗୋଡ ଖାଇଗଲାଣି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ରାସ୍ତା କାଟି ଅସ୍ଥାୟୀ ଭାବେ ଜଳନିଷ୍କାସନ ପାଇଁ ବ୍ୟବସ୍ଥା କରୁଥିବା ବେଳେ ସ୍ଥାୟୀ ଭାବେ ଜଳନିଷ୍କାସନ ର ବ୍ଯବସ୍ଥା କରିବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ଅନଶନ କରିବା ପାଇଁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।