ଜମ୍ମୁରେ ଭୀଷଣ ବର୍ଷା, କଠୁଆ ଡୁଙ୍ଗା ଗାଁରେ ଫାଟିଲା ବାଦଲ, ବୈଷ୍ଣୋଦେବୀ ଧାମକୁ ଚୋପର ସେବା ବାଧିତ

Published By : Prameya-News7 Bureau | August 07, 2024 IST

ଜମ୍ମୁ : ବୁଧବାର ଜମ୍ମୁ ଡିଭିଜନରେ ବର୍ଷା ବିତ୍ପାତ ରଚିଛି। ରାଜୋରୀର ଖ୍ୱାସ୍ ଗୁନ୍ଦା ଗାଁରେ ଏକ କଚ୍ଚାଘର ପଡିଯିବାରୁ ଜଣେ ୬୦ ବର୍ଷ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଛି। ସେପଟେ କଠୁଆ ଡୁଙ୍ଗା ଗାଁରେ ବଦାଲଫଟା ବର୍ଷା ଯୋଗୁ ୮ଟି ଘର ଭାସିଯାଇଛି। ତେବେ ଏହି ଘଟଣାରେ କେହି ପ୍ରାଣ ହରାଇଥିବାର ଅଭିଯୋଗ ହୋଇ ନାହିଁ। ଭୀଷଣ ବର୍ଷା ଯୋଗୁ ଜମ୍ମୁ ସମେତ ବିଭିନ୍ନ ଅଞ୍ଚଳରେ ନଦୀ,ନାଳ ଏବେ ଉଛୁଳୁଛି। ସହରାଞ୍ଚଳର ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବାର ସୂଚନା ମିଳିଛି। 

କୁହୁଡି ଯୋଗୁ ମାତା ବୈଷ୍ଣୋଦେବୀ ଯାତ୍ରୀଙ୍କ ନିମନ୍ତେ କଟରା-ସାଂଝିଛତ ଚୋପର ସେବା ବନ୍ଦ ରଖାଯାଇଛି। ଗତ ୨୪ ଘଣ୍ଟାରେ ରାଜୋରୀ ଜିଲ୍ଲାରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜମ୍ମୁରେ ୪୮.୫, ରାମବନରେ ୧୭.୫ମିଲିମିଟର ବର୍ଷା ରେକର୍ଡ ହୋଇଛି। ଶ୍ରୀନଗର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜମ୍ମୁ ଡିଭିଜନର କିଛି ଅଞ୍ଚଳରେ ବର୍ଷା ହେବ। ପାଗ ଖରାପ ରହିବା ଯୋଗୁ ସମ୍ଭାବିତ କ୍ଷେତ୍ରରେ ଅଚାନକ ବନ୍ୟା ଅଥବା ଭୂ-ସ୍ଖଳନ ଭଳି ବିପର୍ଯ୍ୟୟ ଉପୁଜି ପାରେ ବୋଲି ସତର୍କ କରାଯାଇଛି। 

କିସ୍ତୱାଡାରେ ନାଳ ଉପରେ ନିର୍ମିତ ପୋଲ କ୍ଷତିଗ୍ରସ୍ତ ହୋଇଥିବାରୁ ଗୁଲାବ-ଚିସୋତି ରାସ୍ତା ବନ୍ଦ ହୋଇଯାଇଛି। ଏଣୁ ରାସ୍ତାରେ ଯାତ୍ରୀ ଫଶି ରହିଛନ୍ତି। ତେବେ ଶ୍ରୀନଗରରେ ବୁଧବାର ମଧ୍ୟାହ୍ନରେ ସ୍ପଷ୍ଟ ସୂର୍ଯ୍ୟାଲୋକ ଦେଖାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗ ରାମବନ ଓ ବନିହାଲ ମଧ୍ୟରେ ଅବରୋଧ ହୋଇଛି। ମୋମ୍ପାସୀରେ ସଡ଼କ ମଝାମଝି ଏକ ଟ୍ରକ୍ ଫଶି ରହିଯିବାରୁ ଉଭୟପଟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.