ପୁଣି ଏକ ଲଘୁଚାପ ଯୋଗୁଁ ୨୪ଘଣ୍ଟା ବର୍ଷିବ, ସୁନ୍ଦରଗଡ ଓ ବାଲେଶ୍ବର ଜିଲ୍ଲାରେ ବନ୍ୟା ଆଶଙ୍କା
18/08/2019 at 4:52 PM

ଭୁବନେଶ୍ବର୧୮|୮: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଉପରେ ଲଘୁଚାପ । ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚାନା ଦେଇଛି ପାଣିପାଗ କେନ୍ଦ୍ର । ବିଶେଷ ଭାବେ ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବରଗଡ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲି ମୟୂରଭଞ୍ଜ ଓ ବାଲେଶ୍ବରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ୪ ପ୍ରତିଶତ କମ ବର୍ଷାର ରେକର୍ଡ କରାଯାଇଛି ….

ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଉପରେ ଲଘୁଚାପ । ପ୍ରଭାବରେ ରାଜ୍ୟରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ ଭାବେ ସୁନ୍ଦରଗଡ, ବାଲେଶ୍ବର, ମୟୁରଭଞ୍ଜର ଭଳି ଜିଲ୍ଲାରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରୀ, ହାତିବାରୀ ଅଚଂଳରେ ବନ୍ୟାସ୍ଥିତି ଦେଖାଦେଇଛି । ହେମଗିରୀର ଇଛା ନଦୀ ବରପାଲି ପୋଲ ଉପରେ ଦୁଇ ଫୁଟର ପାଣି ଚାଲିବା ଯୋଗୁଁ ବରପାଲି ହେମଗିରୀ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଅନେକ ଗାଁ ପାଣି ଘେରରେ ରହିଛି ।

ସେହିପରୀ ହାତିବାରୀ ଖାତମା ନାଳ ଉପରେ ବନ୍ୟାଜଳ ପ୍ରବାହୀତ ଯୋଗୁଁ କୁଆରମୁଣ୍ଡା ଠାରୁ ହାତୀବାରୀ ବିଛିନ୍ନ ହୋଇ ପଡିଛି । ରାଉରକେଲାରେ ମଧ୍ୟ ପ୍ରବଳ ବର୍ଷ ଜାରି ରହିଛି । ଫଳରେ ମନ୍ଦିରା ଡ୍ୟାମର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ଥର ବୃ୍ଦ୍ଧି ପାଇଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାର ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ମଥାନୀ ଠାରେ ଜଳକା ନଦୀର ଜଳ ସ୍ଥର ୫.୫୦ମିଟର ରହିଛି । ନଦୀର ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଆଗକୁ ଅଧିକ ବର୍ଷା ହେଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।

ଆଗାମୀ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବରଗଡ ସମେତ ବାଲେଶ୍ବର, ମୟୁରଭଞ୍ଜ, ଅନୁଗୋଳ, ସୋନପୁର, ବୌଦ୍ଧ, କୋରାପୁଟ, କଳାହାଣ୍ଡି, ଢେଙ୍କାନାଳରେ ପ୍ରବଳ ବର୍ଷାର ପୂର୍ବାନୁମାନ ସହ ସତର୍କ ସୂଚନା ଜାରି କରିଛି ପାଣିବାଗ କେନ୍ଦ୍ର ।