ରାଜ୍ୟରେ ଚାରି ଦିନ ପ୍ରବଳ ବର୍ଷା, ନଦୀରେ ଆସିପାରେ ବନ୍ୟା, ସତର୍କ କରାଇଲେ ଏସଆରସି

Published By : Prameya-News7 Bureau | June 09, 2021 IST

ଭୁବନେଶ୍ଵର ୦୯।୦୫: ଆସୁଛି ପ୍ରବଳ ବର୍ଷା। ରାଜ୍ୟରେ ଚାରି ଦିନ ଧରି ଛେଚିବ। ଏମିତି ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ। ମୌସୁମିର ଆଗମନ ସହ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନରଙ୍କୁ ଏସଆରସି ଚିଠି ଲେଖିଛନ୍ତି। ଜୁନ ୧୦ରୁ ୧୪ ତାରିଖ ଚାରି ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏସଆରସିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଜୁନ ୧୦ ତାରିଖରୁ ୧୪ ଯାଏଁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏପରିକି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି। ବିଭିନ୍ନ ନଦୀରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି। ଏସଆରସି ବିପଦଜ୍ଜନକ ତଥା ଦୁର୍ବଳ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି। ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିପାରେ। ବର୍ଷା ନେଇ ସତର୍କ କରିବା ସହ ସ୍ଥିତିର ମୁକାବିଲା ପାଇଁ ଅଧିକାରୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ସଂପର୍କିତ ଖବର ଉପରେ ନଜର ରଖୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବେ। ଭୂସ୍ଖଳନ ସମ୍ଭାବନା ଥିବା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡଙ୍ଗା ଏବଂ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କାଲି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.