ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | August 08, 2024 IST

ଭୁବନେଶ୍ୱର ୦୮।୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ  ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । ପ୍ରବଳ ବର୍ଷାରେ ରାଜ୍ୟର  ବିଭିନ୍ନ ସ୍ଥାନ ଉବୁଟୁବୁ ହୋଇଛି । କେଉଁଠି ମନ୍ଦିର ଭିତରେ ପାଣି ପଶିଯାଇଛି ତ  ଆଉ କେଉଁଠି ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ   କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ   ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସବୁ ଜିଲ୍ଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଆସନ୍ତା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଝାଡ଼ଖଣ୍ଡ ଓ ଏହାର  ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ  କେନ୍ଦ୍ରୀଭୂତ ହେବ । ଏହା ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ  ଭାରୀ ବର୍ଷା ହୋଇପାରେ । ଆଉ କିଛି  ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । 

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । କଟକର ବାଙ୍କୀରେ ଅତି ଭୀଷଣ ବର୍ଷା ହୋଇଛି ।ଏଠାରେ ୩୧୭ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ ଭାପୁରରେ ୨୧୦ମିମି ବର୍ଷିଛି ।  ଖୋର୍ଦ୍ଧା ବେଗୁନିଆରେ ୧୯୬ମିମି, ସୋନପୁର ବୀରମହାରାଜପୁରରେ ୧୪୭, ଢେଙ୍କାନାଳ ହିନ୍ଦୋଳରେ  ୧୪୪, ନବରଙ୍ଗପୁର ଡାବୁଗାଁରେ ୧୪୨, ବଲାଙ୍ଗୀର ଓ ବରଗଡ଼ରେ ୧୩୫ମିମି, ନୟାଗଡ଼ ରଣପୁରରେ   ୧୩୨.୪ମିମି ବର୍ଷା ରେକର୍ଡ ହୋଇଛି । ବରଗଡ଼ ଅତାବିରାରେ ୧୩୨, କନ୍ଧମାଳ  ଖଜୁରୀପଡ଼ାରେ ୧୩୦, ବରଗଡ଼ ଭଟ୍‌ଲିରେ ୧୩୦,  ଖୋର୍ଦ୍ଧା ବୋଲଗଡ଼ରେ ୧୩୦, କଳହାଣ୍ଡି ଧର୍ମଗଡ଼ରେ  ୧୨୯.୬ କୋରାପୁଟ କୋଟପାଡ଼ରେ ୧୨୮, କଳାହାଣ୍ଡି   କେସିଙ୍ଗାରେ ୧୨୭, ସୋନପୁର ବିନିକାରେ ୧୨୫, କଳାହାଣ୍ଡି ନର୍ଲାରେ ୧୨୩ମିମି ବର୍ଷା ହୋଇଛି । ବୁଧବାର  ସକାଳରୁ ସନ୍ଧ୍ୟା ଭିତରେ ବଲାଙ୍ଗୀରରେ ୯୨ମିମି,  ପାରଳାଖେମୁଣ୍ଡିରେ ୬୧, ଅନୁଗୁଳରେ ୬୦ମିମି,  ବୌଦ୍ଧ ଓ ନବରଙ୍ଗପୁରରେ ୫୭, କେନ୍ଦୁଝରରେ ୩୭,  ରାଉରକେଲାରେ ୩୬ ଓ ଜଗତ୍‌ସିଂହପୁରରେ ୩୨ମିମି   ବର୍ଷା ହୋଇଛି ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.