ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା
13/09/2023 at 8:12 AM

ଭୁବନେଶ୍ୱର ୧୩।୦୯: କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ। ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ପ୍ରଭାବରେ ୩ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏପିରିକି କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ । ୨୦ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିସ୍ତୃତ ବର୍ଷା ହେବ। ପାଖାପାଖି ୭୦ରୁ ୨୦୦ ମିଲିମିଟର ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଯାଜପୁର, ଜଗତସିଂହପୁର, ଖୋର୍ଧା, ପୁରୀ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୧୪ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହୁଛି। ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଫଳରେ କୃତ୍ରିମ ବନ୍ୟା ସହ ତଳୁଆ ଅଞ୍ଚଳରେ ପାଣି ଜମି ରହିବା, ଭୂସ୍ଖଳନ, ମାଟି ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା, ନଦୀର ଜଳସ୍ତର ବୃଦ୍ଧି ଆଦି ସମସ୍ୟା ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।