ଭୁବନେଶ୍ବରରେ ବର୍ଷିଲା ୧୦୩.୦୨ମିମି, ଲୋକଙ୍କ ଘରେ ଚାଲିଛି ପାଣିର ସୁଅ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ବାତ୍ୟା ‘ତିତଲି’ ପବନରୁ ସିନା ବର୍ତ୍ତିଗଲା ଭୁବନେଶ୍ବର । କିନ୍ତୁ ଗତକାଲି ରାତିରୁ ଲଗାଣ ବର୍ଷା ରାଜଧାନୀକୁ ବେହାଲ କରିଛି । ତଳିଆ ଅଞ୍ଚଳ ଲୋକଙ୍କ ଘରେ ଘରେ ପାଣି ପଶିଛି । ବର୍ଷା ପାଣିରେ ଭାସୁଛି ଘରର ଆସବାବପତ୍ର । ରାତି ଅନିଦ୍ରା ହୋଇ ଘରୁ ପାଣି କାଢୁଛନ୍ତି ଲୋକେ । ଦେଖିବାକୁ ଗଲେ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ । ତେବେ ସହରର ଜଳବନ୍ଦୀ ପରିସ୍ଥିତି ପାଇଁ ବିଏମସିକୁ ଦାୟୀ କରିଛନ୍ତି ଲୋକେ । ରାସ୍ତାରେ ଚାଲୁଛୁ ପାଣି, ଲୋକଙ୍କ ଘରେ ପସିଛି ପାଣି । ପାଣି ସୁଅରେ ଲୋକଙ୍କୁ ରାସ୍ତା ପାରି ହେବାକୁ ବି ଭୟ ଲାଗୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବରରେ । ଗଲା ରାତିରୁ ଲାଗି ରହିଛି ବର୍ଷା । ଫଳରେ ସହରର ସ୍ଥିତି ବେହାଲ ହୋଇପଡିଛି । ଆଚାର୍ଯ୍ୟ ବିହାର ପୋଲିସ ବାଟାଲିୟନ ପଛପଟେ ରହୁଥିବା ୫୦ରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି । ରାତି ୩ଟାରୁ ଘରେ ପାଣି ପଶିଛି । ଜିନିଷପତ୍ର ସବୁ ପାଣିରେ ଭାସୁଛି । ଅନିଦ୍ରା ହୋଇ ଯିଏ ଯେମିତି ପାରୁଛି, ଘରୁ ପାଣି ବାହାର କରୁଛି । ସବୁଠାରୁ ବଡ଼ କଥା ହେଲା ଗତ ବର୍ଷାରେ ବି ଏଠି ଏଭଳି ଅବସ୍ଥା ହୋଇଥିଲା, କିନ୍ତୁ ବିଏମସିର ନିଘା ନ ଦେବାରୁ ତିତଲିର ପ୍ରକୋପରେ ତିନ୍ତିଛନ୍ତି ଏମାନେ । ତେବେ ଖାଲି ଆଚାର୍ଯ୍ୟବିହାର ନୁହେଁ, ନୟାପଲ୍ଲୀ, ଜିଜିପି କଲୋନୀ, ସୌଭାଗ୍ୟନଗର, କଟକରୋଡ, ବରଗଡ, ସାମନ୍ତରାପୁର, ରସୁଲଗଡ, ଜାଗମରା ଆଦି ବିଭିନ୍ନ ଅଂଚଳ ବାସିନ୍ଦା ବି ଜଳବନ୍ଦୀ ସମସ୍ୟା ଭୋଗିଛନ୍ତି । ଗତକାଲି ରାତିରୁ ଜାରି ରହିଥିବା ବର୍ଷା ଆଜି ଅପରାହ୍ନ ଯାଏ ମଧ୍ୟ ଜାରି ରହିଥିଲା । ପବନ ନ ଥିଲା, କିନ୍ତୁ ଘଡ଼ଘଡ଼ି ଓ ବିଜୁଳି ରାଜଧାନୀବାସିନ୍ଦାଙ୍କୁ ଭୟଭୀତ କରିଥିଲା । ଅନେକ ସ୍ଥାନରେ ତରବରିଆ ଭାବେ ୱାଟର ପମ୍ପ୍ ଲଗାଇ ପାଣି ନିଷ୍କାସନ କରାଯାଇଥିଲା । ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ବରରେ ୯୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ତିତଲିର ପ୍ରଭାବକୁ ନେଇ ଯଥେଷ୍ଟ ପୂର୍ବରୁ ପୂର୍ବାନୁମାନ ହୋଇଥିବା ବେଳେ ବିଏମସି ଉଚିତ ପ୍ରସ୍ତୁତି କରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.