ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା : ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ, ରେଳସେବା ବାଧାପ୍ରାପ୍ତ , ପୁରୀରେ ସର୍ବାଧିକ ବର୍ଷା ରେକର୍ଡ
24/10/2019 at 9:43 AM

ଭୁବନେଶ୍ବର୨୪|୧୦; ଆହୁରି ୨୪ ଘଣ୍ଟା ବର୍ଷିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ।୫ଟି ଜିଲ୍ଲା ସୁନ୍ଦରଗଡ, ବରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହି ୯ ଜିଲ୍ଲା ହେଲା-ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, ଅନୁଗୋଳ ।ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ସେହପରି ଭୁବନେଶ୍ବରରେ ୧୦୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।୧୨ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦାୟ ୧୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ।ବିଜୟନଗରମ୍ ରେଳ ଷ୍ଟେସନ୍ ରେଳ ଧାରଣା ଉପରେ ପାଣି ଜମି ରହିଛି । ଫଳରେ ଭୁବନେଶ୍ବର – ବିଶାଖାପାଟଣାରେ ଇଣ୍ଟରସିଟି ଏକ୍ସପ୍ରେସ୍ ର ସୂଚୀ ପରିବର୍ତ୍ତନ କରାଯାଇଛି ।ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଟ୍ରେନ୍ ଯିବା ପରେ ସେଠାରୁ କୌଣସି ଯାତ୍ରୀ କୁ ଟ୍ରେନ୍ ରେ ଯାତ୍ରା କରିବାର ସୁଯୋଗ ନଦେଇ ଖାଲି ଟ୍ରେନ୍ କୁ ବିଶାଖାପାଟଣା ଛଡାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ବିଶାଖାପାଟଣା – ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍, ବିଶାଖାପାଟଣା – ବ୍ରହ୍ମପୁର ଓ ବ୍ରହ୍ମପୁର – ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ୍ ନେଇ ରେଳ ବିଭାଗ ସୂଚନା ଦେଇଛି ।

ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଶେଷକରି ସାନଖେମୁଣ୍ଡି ଅଞ୍ଚଳର ଅବସ୍ଥା ଉଦବେଗ ଜନକ ହୋଇପଡିଛି । ଉପର ମୁଣ୍ଡରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ସହ ବହୁ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଅନ୍ୟ ପଟେ ଘୋଡାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଆସିକା ଦିଗପହଣ୍ଡି NH ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।ପାଟପୁର ସ୍ଥିତ ବୁଧେଶ୍ବର ମନ୍ଦିର ନିକଟ ପୋଚକା ନାଳ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଫତେପୁର ଗାଁରେ ଲଗାତାର ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଛି ।ଗାଁ ର ଜୟକୃଷ୍ଣ ପଳେଇଙ୍କ ୩ ବଖରା ଘରର କାନ୍ଥ ଭୁଶୁଡି ପଡିଛି ।ତେବେ ଅଳ୍ପକେ ପରିବାର ଲୋକ ବର୍ତ୍ତିଯାଇଛନ୍ତି ଓ ସମସ୍ତେ ସୁରକ୍ଷିତ ଅଛନ୍ତି ।