ଜୁଲାଇ ୮ରୁ ସୃଷ୍ଟି ହେବ ଲଘୁଚାପ, ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

Published By : Prameya-News7 Bureau | July 05, 2022 IST

ଭୁବନେଶ୍ୱର, ୫/୦୭: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।

ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି । ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍‌ମେଂଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ କରିଥିଲେ । ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.