ଦୁଇ ଦିନ ପରେ ପ୍ରବଳ ବର୍ଷା : ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗ ଉପରେ ଲଘୁଚାପରେ ପରିଣତ
7/07/2019 at 9:02 AM

ଭୁବନେଶ୍ବର ୭/୭: ଦୁଇ ଦିନ ପରେ ପ୍ରବଳ ବର୍ଷା । ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗ ଉପରେ ଲଘୁଚାପରେ ପରିଣତ ହୋଇଛି । ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି। ହେଲେ ଏହା ଦକ୍ଷିଣ ମୁହାଁ ଥିବାରୁ ଆସନ୍ତା ଦୁଇଦିନ ଓଡିଶାରେ ବର୍ଷା ହେବାର ସମ୍ଭାବନା ନାହିଁ ।
କିନ୍ତୁ ୯ ତାରିଖରୁ ଲଘୁଚାପ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ୍ ଯେତେଦିନ ରହିବ ସେତେଦିନ ଓଡିଶାରେ ବର୍ଷା ହେବ । ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ସାରା ଓଡିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ କଟକରେ ସର୍ବାଧିକ ୧୩୪.୪ମିମି ବର୍ଷା ହୋଇଛି ।