ବଢିଲାଣି ଖରାର ପ୍ରକୋପ, ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି, କଲବଲ୍ ଆଭ୍ୟନ୍ତରୀଣ ଓଡିଶା

Published By : Prameya-News7 Bureau | March 13, 2022 IST

ଭୁବନେଶ୍ଵର ୧୩।୦୩: ବଢିଲାଣି ଖରାର ପ୍ରକୋପ । ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ବିଶେଷକରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାରେ  ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି ।  ଆଗାମୀ ଦିନରେ ତାତି ଆହୁରି ବଢିବା ସହ ଏହା ଜନଜୀବନକୁ ଆସ୍ତବ୍ୟସ୍ତ କରିବ । 

ମାର୍ଚ୍ଚରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା ।  ଏବେଠୁ ଅସହ୍ୟ ହେଲାଣି ତାତି ।  ରାଜ୍ୟର ତତଲାଗଡା କୁହାଯାଉଥିବା ଟିଟିଲାଗଡ଼ରେ ପ୍ରବଳ ଖରା ଜନଜୀବନକୁ ଅସହ୍ୟ କଲାଣି । ପୂରା ବଲାଙ୍ଗିର ଜିଲ୍ଲାରେ ଏବେ ଏହି ଅବସ୍ଥା ।  ସକାଳ ୧୦ ଟା ରୁ ଖରାର ପ୍ରକୋପ ଦେଖିବାକୁ ମିଳୁଛି। ଲୋକ ଆବଶ୍ୟକ କାମ ନ ଥିଲେ ବାହାରିବାକୁ ବାହାରୁ ନାହାନ୍ତି । ପୌର ନିର୍ବାଚନ ଥିଲେ ବି ନେତାଏ ସଂଧ୍ୟା ସମୟରେ ପ୍ରଚାର କରିବାକୁ ଉଚିତ୍ ମଣୁଛନ୍ତି । ତାତି ଆଗକୁ ଆହୁରି ବଢିବ ଓ ଅସହ୍ୟ ହେବ ବୋଲି ଅଶଙ୍କା କରାଗଲାଣି ।

{"id":599594,"sizeSlug":"full","linkDestination":"none"}

ଟିଟିଲାଗଡର ତାପମାତ୍ରା ଆଜି ୩୭.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରର ତାପମାତ୍ରା ୩୭.୫ ଡିଗ୍ରୀ ରେକର୍ଡ ରହିଛି । ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ପାନୀୟ ଜଳ ସହ ଆଶ୍ରୟ ସ୍ଥଳର ସୁବିଧା କରିବାକୁ ପ୍ରଶାସନକୁ ଦାବି କରିଛନ୍ତି ଲୋକେ । ସମାନ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ଜିଲ୍ଲାରେ ଦିନର ତାପମାତ୍ରା ରହିଛି ୩୬.୬ ଡିଗ୍ରୀ । ଆଗକୁ ଏହା ବଢିବାର ଆଶଙ୍କା ରହିଛି । ମହାନଗର ନିଗମ ଅଞ୍ଚଳରେ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଆଗକୁ ସ୍ଥିତି ଜଟିଳ ହେବ ବୋଲି ଲୋକେ କହିଲେଣି। 

{"id":599595,"sizeSlug":"full","linkDestination":"none"}

ରାଜଧାନୀ ଭୁବନେଶ୍ବରରେ ଆଜି ଦିନ ସାଢ଼େ ୨ଟା ବେଳେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ଅଧିକ ହେଲାଣି । ଆସନ୍ତା ୧୬ ଏବଂ ୧୭ ତାରିଖ ପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୧୬ ତାରିଖ ପାଇଁ ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ସେହିଭଳି ୧୭ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ବର୍ତମାନ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରହୁଥିବା ବେଳେ ଆଗାମୀ ଦୁଇ ଦିନରେ ଏହା ୪୦ ଡିଗ୍ରୀ ଛୁଇଁବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.