ତାତିରେ ଜଳୁଛି ବରଗଡ ହେଲେ ପାଣିପାଗ ଜାଣିବା ପାଇଁ ନାହିଁ ଶାଖା କାର୍ଯ୍ୟାଳୟ, ମୋବାଇଲ ଆପରେ ତାପମାତ୍ରା ଦେଖୁଛନ୍ତି ଲୋକେ
27/05/2019 at 1:41 PM

ବରଗଡ଼ ୨୭/୫ : ବରଗଡ ଜିଲ୍ଳାରେ ଭୟଙ୍କର ତାତି ଓ ଗୁଳୁଗଳିରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । କିନ୍ତୁ ଜିଲ୍ଳାରେ କେତେ ତାତି ରହୁଛି କାହାରି ପାଖରେ ସଠିକ ହିସାବ ନାହିଁ । ଲୋକେ ମୋବାଇଲ ଆପରେ ବରଗଡ ତାପମାତ୍ରା କେତେ ଅଛି ଜାଣିବାକୁ ପାଉଥିବା ବେଳେ ଏହା ମଧ୍ୟ ସଠିକ ଦର୍ଶାଉନଥିବା ଲୋକେ କହୁଛନ୍ତି । ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହେଲେ ମଧ୍ୟ ବରଗଡ ବାସୀ ଏବେବି ପାଣିପାଗ ଖବର ଜାଣିବା ପାଇଁ ଦ୍ବନ୍ଦ୍ବରେ ରହିଛନ୍ତି । କାରଣ ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ପାଣିପାଗ ଶାଖା କାର୍ଯ୍ୟାଳୟ ଟିଏ ପ୍ରତିଷ୍ଠା ହୋଇପାରି ନାହିଁ ।

ବରଗଡ ଜିଲ୍ଳା ବର୍ତ୍ତମାନ ଆଜି ବି ସମ୍ବଲପୁର ଜିଲ୍ଳାର ପାଣିପାଗ ରେକର୍ଡ ଉପରେ ନିର୍ଭର କରୁଛି । ସକାଳ ୯ଟା ପରେ ସ୍ଥିତି ସାଂଘାତିକ ରୂପ ଧାରଣ କରୁଥିବା ବେଳେ ସକାଳ ୧୦ଟାରୁ ତାପମାତ୍ରା ପାଖାପାଖି ୩୮-୩୯ ଡିଗ୍ରି ହେଉଛି ପରେ ଦିନ ୨ଟାରେ ତାପମାତ୍ରା ୪୦-୪୩ ଡିଗ୍ରିକୁ ପହଞ୍ଚୁଥିବା ମୋବାଇଲ ଆପ୍ ରୁ ଜାଣିବାକୁ ପାଉଛନ୍ତି ଲୋକେ । ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଛତା ଓ ମୁଣ୍ଡରେ ଗାମୁଛା ବାନ୍ଧି ବାହାରୁ ଥିବା ବେଳେ ଗରମରୁ କିଛିଟା ଆଶ୍ବସ୍ଥି ପାଇବା ପାଇଁ ଥଣ୍ଡା ପାନୀୟ ଜଳ ଆଖୁରସ ଓ ଆମ୍ବଜୁସ ପିଉଛନ୍ତି ଲୋକେ ।

ଦିନ ୧୨ଟା ବେଲକୁ ରାସ୍ତାଘାଟ ଶୂନଶାନ ହେଉଥିବା ବେଳେ ଲୋକେ ଘରୁ ବାହାରିବା ସୁରକ୍ଷିତ ମଣୁନାହାନ୍ତି ।ଅନ୍ୟପଟେ ଜିଲ୍ଳା ପ୍ରଶାସନକୁ ପଚରାଯିବାରୁ ସେ କହିଥିଲେ ଯେ, ସରକାରଙ୍କ ପାଖକୁ ପାଣିପାଗ କାର୍ଯ୍ୟାଳୟ ପାଇଁ ପାଖାପାଖି ୧୫ଟି ଜିଲ୍ଳାର ପ୍ରସ୍ତାବ ଯାଇଥିବା ବେଳେ ବର୍ଷେ ଭିତରେ ପାଣିପାଗ ବିଭାଗ ତରଫରୁ ବରଗଡରେ ପାଣିପାଗ କାର୍ଯ୍ୟାଳୟ ହେବ ବୋଲି ଆଶା କରୁଛି ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝି ।
