ପ୍ରଚଣ୍ଡ ତାତି ସାଙ୍ଗକୁ ଆର୍ଦ୍ରତା ଘାତକ, ଆହୁରି ୩ ଦିନ ଜଳାଇବ ଗ୍ରୀଷ୍ମପ୍ରବାହ

Published By : Prameya-News7 Bureau | April 19, 2024 IST

ଭୁବନେଶ୍ୱର ୧୯/୦୪: ଗୁରୁବାର ଦେହ ପୋଡ଼ି ଯାଉଥିଲା ସକାଳ ସାଢ଼େ ୮ଟାରେ । ତାପମାତ୍ରା ଥିଲା ୩୩.୪ ଡିଗ୍ରୀ ସେଲସିୟସ୍‌ । କିନ୍ତୁ ଲାଗୁଥିଲା ଯେମିତି ୪୦ ଟପିଯାଇଛି ।ସାଢ଼େ ୧୧ଟା ବେଳକୁ ଆହୁରି ସାଂଘାତିକ, ହୋସ୍‌ ଉଡ଼ିଗଲା ଭଳି । ମନେ ହେଉଥିଲା ଯେମିତି ୪୦.୬ ଡିଗ୍ରୀ ନୁହେଁ, ୫୦ କି ୫୫ ଡିଗ୍ରୀ ତତଲା ବାମ୍ଫ ମାଡ଼ ହେଉଛି । 

ରାଜଧାନୀ ଭୁବନେଶ୍ୱର ଏମିତି ଭାଜି ହୋଇ ଯାଇଛି ଗୁରୁବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ । କେବଳ ନିଆଁ ବର୍ଷା ନୁହେଁ, ବାୟୁ ମଣ୍ଡଳରେ ଅସ୍ୱାଭାବିକ ଉଚ୍ଚ ଆର୍ଦ୍ରତା ବାତାବରଣକୁ ଅତି ବିପଜ୍ଜନକ ସ୍ତରକୁ ଠେଲି ଦେଇଛି । ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା ତାପମାତ୍ରା ଅନୁଭୂତିକୁ ୪୦ ଡିଗ୍ରୀ ଭଳି କରିଦେଇଥିଲା । ସାଢ଼େ ୧୧ଟା ବେଳେ ୫୦% ଆର୍ଦ୍ରତା ତାତି ମାତ୍ରାକୁ ଆହୁରି ଭୟଙ୍କର କରିଥିଲା । 

କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଗୁରୁବାର ଅନୁରୂପ ଘାତକ ସ୍ଥିତି ଉପୁଜାଇଛି । ୧୭ ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ୪୦ ଡିଗ୍ରୀ ଡେଇଁଥିଲା ୩୨ ସହର । ଏସବୁ ସ୍ଥାନରେ ଆର୍ଦ୍ରତା ବି ବିପଜ୍ଜନକ ସ୍ତରରେ ଥିଲା, ଯାହା ପ୍ରକୃତ ତାତି ଅନୁଭୂତିକୁ ବହୁଗୁଣିତ କରିଛି । 

ଏଭଳି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତାଜା ଗବେଷଣା ରିପୋର୍ଟ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି । ଲମ୍ବା ଗ୍ରୀଷ୍ମ ପ୍ରବାହକୁ ଭୀଷଣ ଗୁଳୁଗୁଳି ଡାକି ଆଣୁଛି ଘାତକ (କିଲର୍‌) ହିଟ୍‌ ଷ୍ଟ୍ରେସ୍‌ । ଆଇଏମଡି ବୈଜ୍ଞାନିକ ଡ. ରାଜୀବ ଚଟ୍ଟୋପାଧ୍ୟାୟ କହିଛନ୍ତି, ଗତ ୪ ଦଶନ୍ଧି (୧୯୮୦-୨୦୨୦) ଭିତରେ ଭାରତରେ ହିଟ୍‌ ଷ୍ଟ୍ରେସ୍‌ ୩୦% ବଢ଼ିଛି । 

ଅତି ଉଚ୍ଚ ତାପମାତ୍ରା ଓ ଅତ୍ୟଧିକ ଆର୍ଦ୍ରତା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇଏମ୍‌ଡି ଗବେଷକ ଏସ୍‌.ଲକ୍ଷ୍ମୀଙ୍କ ମତରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଅତ୍ୟଧିକ ତାପମାତ୍ରା ସହ ଆର୍ଦ୍ରତା ପରିମାଣ ପ୍ରାୟତଃ ୬୦%ରୁ ଅଧିକ ଥାଏ ।  ଏହା ପ୍ରଭାବରେ ତାପମାତ୍ରା ଯେତିକି ଥାଏ, ତା’ଠାରୁ ଢେର ଅଧିକ ଅନୁଭୂତ ହୋଇଥାଏ । ଏଭଳି ସ୍ଥିତି ଅତି ବିପଦଜନକ ।

ଓଡ଼ିଶା ଭଳି ରାଜ୍ୟରେ ତାତି ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁ ହିଟ୍‌ ଷ୍ଟ୍ରେସ୍‌ ଚିନ୍ତାର କାରଣ ହୋଇଛି । ବିଶେଷଜ୍ଞଙ୍କ ମତରେ ଏହି ହିଟ୍‌ ଷ୍ଟ୍ରେସ୍‌ ଏକ ନୀରବ କିଲର୍‌ । ଠକ୍‌ଠାକ୍‌ ଚାଲିଯାଇପାରେ ଜୀବନ । ହଠାତ୍‌ ବଢ଼ିଯିବ ରକ୍ତଚାପ । ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ । ହୃଦଘାତ୍‌ ମଧ୍ୟ ହୋଇପାରେ । ଅକାଳ ମୃତ୍ୟୁକୁ ଏହା ଡାକି ଆଣିପାରେ । 

ଗତବର୍ଷ ଏପ୍ରିଲ ୧୬ରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୬ ଜୀବନ ନେଇଗଲା ହିଟ୍‌ ଷ୍ଟ୍ରେସ୍‌ ।  ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଏମିତି ଜଳୁଛି । ଆହୁରି ୩ ଦିନ ଜାଳିବ । ଏବେ ସପ୍ତାହେ ଲମ୍ବିବ ଗ୍ରୀଷ୍ମ ଲହରୀ ।  କେବଳ ଦିନ ନୁହେଁ, ରାତିରେ ବି ନିସ୍ତାର ମିଳୁନି । ସନ୍ଧ୍ୟା ଯାଏଁ ହୁଳା ବାହାରୁଥିଲା ବାହାରେ । ଘରେ କାନ୍ଥ, ଚଟାଣ, ଛାତ ରାତି ଅଧ ଯାଏଁ ଥଣ୍ଡା ପଡ଼ିନଥିଲା । 

ଦିନ ତମାମ ପାଇପରୁ ବାହାରୁଥିଲା ଫୁଟନ୍ତା ପାଣି । ପଙ୍ଖା ବୁଲାଇଲେ ଦେହରେ ବାଜୁଥିଲା ଗରମ ହୁଳା । ନା ବାହାରେ ତ୍ରାହି ମିଳୁନଥିଲା ନା ଘରେ । ରାତିର ସର୍ବନିମ୍ନ ତାପମାତ୍ରା ୨୭/୨୮ ଡିଗ୍ରୀ ରହୁଥିବାରୁ ନିଦ ହଜିଯାଇଛି ଚରମ ଗରମରେ । ଚଳିତ ମାସର ଗତ ୫ ଓ ୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିଥିଲା । 

ଏବେ ଗଲା ୧୫ ତାରିଖରୁ ଚାଲିଛି ଗ୍ରୀଷ୍ମ ଲହରୀ । ୪ ଦିନ ହୋଇଗଲାଣି ଜଳୁଛି ସାରା ଓଡ଼ିଶା । ଏବେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୩ ଦିନ (୨୧ ତାରିଖ ପର୍ଯ୍ୟନ୍ତ) ଏମିତି ଟକଟକ ହୋଇ ଫୁଟିବ ସାରା ରାଜ୍ୟ । କାଳବୈଶାଖୀ ଯୋଗୁ ୨୨ରୁ ସାମାନ୍ୟ ତ୍ରାହି ମିଳିପାରେ । ଗୁରୁବାର ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । 

ଭୁବନେଶ୍ୱର ତଳକୁ ଅନୁଗୁଳ ତାପମାତ୍ରା ୪୩.୩, ବୌଦ୍ଧ ୪୩.୫ ଡିଗ୍ରୀ ଥିଲା । ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର୍‌ କରିଥିଲା । ପାଣିପାଗ ବିଭାଗ ଚେତାଇ ଦେଇଛି, ଗୁରୁବାର ଭଳି ଶୁକ୍ରବାର ବି ସିଭିୟର ହିଟ୍‌ ୱେଭ୍‌ (ସାଂଘାତିକ ଗ୍ରୀଷ୍ମ ଲହରୀ) ଅନୁଭୂତ ହେବ । କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍‌ ୱେଭ୍‌ ଆଶଙ୍କା ଅଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.