ଖରା ଗରମରେ ଅତିଷ୍ଟ ରାଜ୍ୟବାସୀ, ୪୪ ଡିଗ୍ରୀ ସହ ସମ୍ୱଲପୁର ସବୁଠୁ ଉତ୍ତପ୍ତ ସହର
7/06/2023 at 4:11 PM

ଭୁବନେଶ୍ୱର ୦୭/୦୬: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି ସହ ଗୁଳୁଗୁଳି । ସକାଳୁ ଘରୁ ବାହାରିବା ହୋଇପଡିଛି ମୁସ୍କିଲ୍ । ଦ୍ୱିପ୍ରହର ତ ଦ୍ୱିପ୍ରହର ୯ପରେ ଖରା ଗରମର ପ୍ରକୋପ ଅନୁଭୂତ ହେଉଛି । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ରେକର୍ଡ ହୋଇଛି ।
୪୪.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ସମ୍ବଲପୁର । ସେହିଭଳି ଝାରସୁଗୁଡାର ତାପମାତ୍ରା ୪୩.୪ ଡ଼ିଗ୍ରୀ, ହୀରାକୁଦର ୪୩ ଡ଼ିଗ୍ରୀ, ଭୁବନେଶ୍ୱରର ୪୧ ଡ଼ିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୩୯.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବାଲେଶ୍ୱରର ତାପମାତ୍ରା ୩୭.୪ ଡ଼ିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୭.୨ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୪.୬ ଡ଼ିଗ୍ରୀ, ପୁରୀର ତାପମାତ୍ରା ୩୪.୪ ଡ଼ିଗ୍ରୀ ଓ ପାରାଦୀପର ତାପମାତ୍ରା ୩୪.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ସୂଚନା ଥାଉକି, ଆଗାମୀ ୪୮ ଘଣା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତେବେ ଯାହା ଅନୁମାନ କରାଯାଉଛି ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ । ହେଲେ ଯଦି ଲଘୁଚାପ ସୃଷ୍ଟି ନ ହୁଏ ତେବେ ମୌସୁମୀ ଆଗମନରେ ହୋଇପାରେ ବିଳମ୍ୱ । କିନ୍ତୁ ସାରା ରାଜ୍ୟରେ ପ୍ରାୟତଃ ତାତିର ପ୍ରକୋପ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ । ପାରଦ ୪୫ ଟପିପାରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର ।