କଲବଲ କରିବ ଖରା : ଆକାଶରୁ ନିଆଁ ବର୍ଷିବ, ଜାଳିବ ଏପ୍ରିଲ-ମେ’

Published By : Prameya-News7 Bureau | March 02, 2024 IST

ଭୁବନେଶ୍ୱର ୦୨ ।୦୩ : ଜାଳିବ ଏପ୍ରିଲ, ମେ’ । ଆକାଶରୁ ନିଆଁ ବର୍ଷିବ । ଏ ବର୍ଷ ଗ୍ରୀଷ୍ମର ଲହରୀର ଅବଧି ଏତେ ଲମ୍ବିବ ଯେ ଛଟପଟ ହେବେ ଜନଜୀବନ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଚଳିତବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ (ତିନି ମାସିଆ) ପାଣିପାଗ ପୂର୍ବାନୁମାନ ଦେଖିଲେ ଡର ଲାଗୁଛି । ପୂର୍ବାନୁମାନ ଚିତ୍ରରେ ଜଳଜଳ ଦିଶୁଛି, ଏଥର ଡହଡହ ଖରାରେ ଟକଟକ ହୋଇ ଫୁଟିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ସବୁଠି ନିଆଁ ବର୍ଷିଲା ଭଳି ସ୍ଥିତି ଉପୁଜିବ ।

ବିଶେଷଜ୍ଞଙ୍କ କହିବା କଥା ହେଲା, ଏଲ୍‌-ନିନୋ ପ୍ରଭାବ ଗ୍ରୀଷ୍ମ ଜ୍ୱାଳାକୁ ଆହୁରି ବଢ଼ାଇ ଦେବ । ଏଲ୍‌-ନିନୋ ଯୋଗୁ ସମୁଦ୍ର ବି ଉତ୍ତପ୍ତ ରହିବ। ପରିଣାମ-କାଳବୈଶାଖୀ କମିଯିବ । କାଳବୈଶାଖୀ ବିନା ତାତି ପ୍ରକୋପରୁ ନିସ୍ତାର ମିଳିବା ସମ୍ଭାବନା କମ୍‌ । ଗ୍ରୀଷ୍ମ ଅବଧି ମାର୍ଚ୍ଚରୁ କଲବଲ କରିପାରେ । ପୂର୍ବାନୁମାନ ଯାହା, ଆସନ୍ତା ୧୫ ତାରିଖରୁ ଗରମ ବଢ଼ିବ । ୨୨ ତାରିଖରୁ ଭୀଷଣ ଗରମ ଅନୁଭୂତ ହେବ ।

ଆଇଏମଡି ପୂର୍ବାନୁମାନ ଚିତ୍ରରୁ ଅନୁମାନ କରାଯାଉଛି, ଏ ବର୍ଷ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍‌ ୱେଭ୍‌) ଦିନ ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିବ । ସାଧାରଣତଃ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଭିତରେ ରହିବା କଥା । ଗତବର୍ଷ ଗ୍ରୀଷ୍ମ ଲହରୀ ସଂଖ୍ୟା ଦୁଇ ଗୁଣ ବଢ଼ି ଯାଇଥିଲା । ଯେଉଁଥିପାଇଁ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଭାଜି ହୋଇଯାଇଥିଲେ ଓଡ଼ିଶାବାସୀ । ଏଥର ବି ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌) ଦିନ ସଂଖ୍ୟା ୧୩ରୁ ୧୫ ପର୍ଯ୍ୟନ୍ତ ଛୁଇଁପାରେ । ବଢ଼ି ବି ପାରେ ।

ପୂର୍ବାନୁମାନ କହୁଛି, ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ମୁଖ୍ୟତଃ ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଅଛି । ବିଶେଷ କରି ଏପ୍ରିଲ-ମେ’ ମାସରେ ଅସ୍ୱାଭାବିକ ଭାବେ ତାତି ବଢ଼ି ଚାଲିବ । ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଭୟଙ୍କର ଭାବେ ବଢ଼ିପାରେ । ଉପକୂଳର କେତେକ ଜାଗାରେ ଅତ୍ୟଧିକ ଗରମ ହୋଇପାରେ । ସାରା ରାଜ୍ୟରେ ରାତିରେ ବି ଭୀଷଣ ଗରମ ଅନୁଭୂତ ହେବା ସମ୍ଭାବନା ଅଛି । ଅର୍ଥାତ୍‌ ରାତିବେଳା ବି ନିସ୍ତାର ମିଳିବା ଆଶା କମ୍‌ ।

ମାର୍ଚ୍ଚ ମାସରେ ଓଡ଼ିଶାରେ ମୋଟାମୋଟି ଭାବେ ଗରମ ସ୍ୱାଭାବିକଠାରୁ କମ୍‌ ରହିପାରେ । ତଥାପି କେତେକ ଦିନରେ ଅତ୍ୟଧିକ ଗରମ ଅନୁଭୂତ ହେବ । ମାର୍ଚ୍ଚରେ ଭଲ ବର୍ଷା ସମ୍ଭାବନା ବି ରହିଛି । ଦ୍ୱିତୀୟ ଓ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରୁ ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ତେବେ ମାର୍ଚ୍ଚ ତୃତୀୟ ସପ୍ତାହରୁ ଗରମ ଅବଧି ଲମ୍ବିପାରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏ ବର୍ଷ ଏପ୍ରିଲ ମାସ ସବୁଠୁ ଉତ୍ତପ୍ତ ରହିପାରେ । ଉପକୂଳଠାରୁ ଆଭ୍ୟନ୍ତରୀଣରେ ତାପମାତ୍ରା ଅଧିକ ରହିବ । ବର୍ତ୍ତମାନ ବିଶେଷ ତାପମାତ୍ରା ବଢ଼ିବନି । ୭ରୁ ୯ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିପାରେ । କେତେକ ସ୍ଥାନରେ ୩୮-୩୯ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

ବର୍ତ୍ତମାନ ରାଜ୍ୟରେ ଧୀରେଧୀରେ ଗରମ ବଢ଼ିବାକୁ ଆରମ୍ଭ କରିଛି । ଶୁକ୍ରବାର ପାରଳାଖେମୁଣ୍ଡି ତାପମାତ୍ରା ୩୭.୪ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ମାଲକାନଗିରି ୩୭ ଡିଗ୍ରୀ ଥିଲା । ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ନୟାଗଡ଼, ଟିଟିଲାଗଡ଼, ବଲାଙ୍ଗୀର, ଭବାନୀପାଟଣା, ଝାରସୁଗୁଡ଼ା ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ଛୁଇଁଥିଲା । ସକାଳୁ ଗରମ ବଢ଼ିଥିବାବେଳେ ଦିନ ୧୧ଟାବେଳକୁ ଖରା ପ୍ରକୋପ ନାକେଦମ କରିଥିଲା । ଉପକୂଳ ଓଡ଼ିଶାରେ ମଧ୍ୟାହ୍ନ ପରେ ଗରମ ପ୍ରକୋପ ସାମାନ୍ୟ କମିଥିଲା । ଶନିବାର ଅନେକ ଜାଗାରେ ତାପମାତ୍ରା ସାମାନ୍ୟ ବଢ଼ିବ । ଆସନ୍ତା ୩ ଓ ୪ ତାରିଖରେ ଉତ୍ତର ଓଡ଼ିଶାର କିଛି ଜାଗାରେ ବର୍ଷା ହୋଇପାରେ।

wp:embed {"url":"https://www.prameyanews7.com/allu-arjun-starrer-pushpa-2-makers-spend-rs-50-crore-for-one-fight-sequence/","type":"wp-embed","providerNameSlug":"prameya-news-7"}
https://www.prameyanews7.com/allu-arjun-starrer-pushpa-2-makers-spend-rs-50-crore-for-one-fight-sequence/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.