ତାତିରୁ ନାହିଁ ନିସ୍ତାର : ୨୯ ଯାଏଁ ଜଳିବ ଓଡିଶା, କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
25/05/2019 at 10:00 AM

ଭୁବନେଶ୍ବର ୨୫|୫: ଅସହ୍ୟ ହେଲାଣି ତାତି । ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା । ଗରମ ସହ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଉପରମୁହାଁ ପାରଦ କମିବାର ନାଁ ଧରୁନି। ଦୁଇ ଦିନ ପୂର୍ବରୁ ୨୬ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏବେ ଏହି ସମୟସୀମା ୨୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଆଜିଠୁ ତାତି ଆହୁରି ବଢିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରୀ ପାର୍ ହୋଇଯିବାର ସମ୍ଭାବନା ରହିଛି। ଟିଟିଲାଗଡ, ସୋନପୁର, ତାଳଚେର, ବଲାଙ୍ଗିର, ଝାରସୁଗୁଡା, ବରଗଡ ଆଦି ସ୍ଥାନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରୁଛି ପାଣିପାଗ ବିଭାଗ।
ପ୍ରବଳ ଖରା ଯୋଗୁଁ ଅଂଶୁଘାତର ଆଶଙ୍କା ମଧ୍ୟ ବଢିଯାଇଛି । ତାତିରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।