ଭୁବନେଶ୍ୱର ୨୧/୦୨: ମାଘ ଯାଇନି, ମାଡିଆସିଲାଣି ଖରା । ହଠାତ୍ ଅଘୋଷିତ ଭାବେ ପଶି ଆସିଲାଣି ତାତି । ତାପମାତ୍ରା ଯେତିକି ରହିବା କଥା, ହଠାତ୍ ତା’ଠାରୁ ୨ରୁ ୪ ଡିଗ୍ରୀ ବଢ଼ିଯାଉଛି । ଅଧା ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଡେଇଁଥିଲା । ୩୭ ଡିଗ୍ରୀରେ ସିଝିଥିଲା ପୁରା ଭୁବନେଶ୍ୱର । ପାଣିପାଗ ପୂର୍ବାନୁମାନ ଯାହା, ୨୩ରୁ ପାଗ ବଦଳିପାରେ ।
କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏହା ସାମୟିକ ଆଶ୍ୱସ୍ତି ଦେବ । ମାତ୍ର ୨୭ ତାରିଖ ବେଳକୁ ପୁଣି ତାତି ବଢ଼ିବ । ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଡେଇଁପାରେ । ରାତି ଓ ଦିନ ତାପମାତ୍ରା ଭିତରେ ବ୍ୟବଧାନ ବଢ଼ିଯାଇଛି । ସେପଟେ ଅଘୋଷିତ ପାଣିପାଗକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସତର୍କ କରାଇଛି, ଏଭଳି ପାଣିପାଗ ମସ୍ତିଷ୍କ (ବ୍ରେନ୍) ମ୍ୟାଲେରିଆ ସ୍ଥିତିକୁ ଡାକି ଆଣିପାରେ । ଅଚାନକ ଭାବେ ମାଡ଼ିଯିବ ମଶାଙ୍କ ବଂଶ । ମ୍ୟାଲେରିଆ, ବ୍ରେନ୍ ମ୍ୟାଲେରିଆ ଆଶଙ୍କା ଅଧିକ । କେତେକ ସ୍ଥାନରେ ଡେଙ୍ଗୁ ବି ମାଡ଼ିପାରେ । ଆଇଏମ୍ଡିର ସ୍ୱାସ୍ଥ୍ୟ ବୁଲେଟିନରେ ଓଡ଼ିଶାକୁ ନେଇ ଏମିତି ସତର୍କ କରାଯାଇଛି ।
ଶୀତକୁ କବର ଦେଇ ଗରମ ଯେମିତି ଧସେଇ ପଶି ଆସିଲା । ସୋମବାର ଦିନ ସାଢ଼େ ୨ଟାରେ ରାଜଧାନୀର ତାତି ୩୨.୮ ଡିଗ୍ରୀ ସେଲସିୟସ୍ ଥିଲା । ମଙ୍ଗଳବାର ଠିକ୍ ସେହି ସମୟରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଛୁଇଁ ଯାଇଥିଲା । ୩ଟା ବେଳକୁ ୩୭ ଡିଗ୍ରୀ । ଏହା ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । ଭୁବନେଶ୍ୱରରେ ସୋମବାର ଦିନ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଥିଲା । ଦିନକରେ ପ୍ରାୟ ଅଢ଼େଇ ଡିଗ୍ରୀ ବଢ଼ିଯାଇଛି ।
ଖାଲି ଭୁବନେଶ୍ୱର ନୁହେଁ, ଅଧା ଓଡ଼ିଶା ଟାଣ ଖରାରେ ଅସ୍ତବ୍ୟସ୍ତ । ମଙ୍ଗଳବାର ୧୫ ସହରରେ ପାରଦ ୩୫ ଡିଗ୍ରୀ ଓ ତା’ଠାରୁ ଉପରକୁ ଉଠିଯାଇଛି । ଅନେକ ସ୍ଥାନରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ଥିଲା । ଭୁବନେଶ୍ୱର ପଛକୁ ସବୁଠୁ ତତଲା ସହର ଥିଲା ବୌଦ୍ଧ । ଏଠାରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ।
ଭବାନୀପାଟଣା, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୫.୬, ନୟାଗଡ଼ ଓ ଜଗତସିଂହପୁରରେ ୩୫.୫, ବଲାଙ୍ଗୀରରେ ୩୫.୩, ଅନୁଗୁଳରେ ୩୫.୧, ଭଦ୍ରକ, ମାଲକାନଗିରି, ତାଳଚେର, ବାଲେଶ୍ୱର ଓ ଚାନ୍ଦବାଲିରେ ୩୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ଭଳି ଝାରସୁଗୁଡ଼ାରେ ପାରଦ ସ୍ୱାଭାବିକଠାରୁ ୩ ଡିଗ୍ରୀ ଲେଖାଏଁ ଅଧିକ ଥିଲା ।
ବାଲେଶ୍ୱର ପାରଦ ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ବଢ଼ିଥିଲା । ମଙ୍ଗଳବାର ସ୍ୱାଭାବିକରୁ ୨ ଡିଗ୍ରୀ ଅଧିକ ଉତ୍ତପ୍ତ ଥିଲା କଟକ, ଭବାନୀପାଟଣା ଓ ଚାନ୍ଦବାଲି ସହର । ଶୀତ ପ୍ରାୟତଃ ଗାଏବ ହୋଇଯାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୧ ଡିଗ୍ରୀ ପାଖାପାଖି ରହୁଛି । ପାରାଦୀପ ଓ ଟିଟିଲାଗଡ଼ରେ ରାତି ତାପମାତ୍ରା ୨୩ରୁ ୨୫ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି । କେବଳ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।
you can also read...
wp:embed {"url":"https://www.prameyanews7.com/bhubaneswar-records-highest-day-temperature-in-odisha/","type":"wp-embed","providerNameSlug":"prameya-news-7"}