ସବୁ ଜିଲ୍ଲାପାଳଙ୍କୁ SRCଙ୍କ ମାର୍ଗଦର୍ଶିକା, ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ

Published By : Prameya-News7 Bureau | February 22, 2024 IST

ଭୁବନେଶ୍ୱର ୨୨।୦୨ : ମଙ୍ଗଳବାର ଭୁବନେଶ୍ୱର ତାପମାତ୍ରା ୩୭ ଡିଗ୍ରୀ ଥିଲା । ଆଜି ବି ତାପମାତ୍ରା ଏହାର ପାଖାପାଖି ରହିଛି । ଟିଟିଲାଗଡ଼ରେ ଦିନ ତାପମାତ୍ରା ୩୬ ଡିଗ୍ରୀ ଥିଲା । ୧୫ ସହରରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ଥିଲା । ତେବେ ଗୁରୁବାର ବି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ରହିବ । ଶୁକ୍ରବାରଠାରୁ ତାତି ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବର୍ଷ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାମ କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାକୁ ନିୟମିତ ଭାବେ ଟ୍ରାକ୍‌ କରାଯିବ।

ଆବଶ୍ୟକ ପଡ଼ିଲେ ଭାରତୀୟ ପାଣିପାଗ ବିଭାଗ /ରାଜ୍ୟ ଆପଦକାଳୀନ କେନ୍ଦ୍ର ସହ ଯୋଗାଯାଗ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ଯେଭଳି  ଜୀବନହାନି ନ ହୁଏ ସେଥିପାଇଁ ସବୁ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ବା ଗଣମାଧ୍ୟମରେ ଖବର ବାହାରିଲେ ତୁରନ୍ତ ଏହାର ତଦନ୍ତ ହେବ । ଗ୍ରୀଷ୍ମ ପ୍ରବାହଜନିତ ରୋଗ ଓ କ୍ଷୟକ୍ଷତି ରୋକିବାକୁ ଜନସଚେତନତା ହେଉଛି ଚାବିକାଠି । ଗ୍ରୀଷ୍ମ ପ୍ରବାହଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିପଦରୁ ମଣିଷ ଓ ପଶୁପକ୍ଷୀଙ୍କୁ ରକ୍ଷା କରିବା ପାଇଁ "କ'ଣ କରିବେ ଓ କ'ଣ କରିବେନି' ତାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପାଣି ଅଭାବ ଥିବା ଅଞ୍ଚଳକୁ ଚିହ୍ନଟ କରି ସେ ଅଞ୍ଚଳକୁ ଟ୍ୟାଙ୍କରରେ ପିଇବା ପାଣି ଯୋଗାଇବାକୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ନଳକୂପ ଓ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ଜଳ ଛାଡିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି । ବଜାର, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ପଞ୍ଚାୟତ ପକ୍ଷରୁ ପାନୀୟଜଳ ସେବାକେନ୍ଦ୍ର ଖୋଲିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ,  ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ ସାର୍ବଜନୀନ ସ୍ଥାନକୁ ଅସହାୟ ଲୋକଙ୍କ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିହେବ । ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳ ଓ ଓଆରଏସ୍‌ ବ୍ୟବସ୍ଥା ରହିବ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବେ ବୋଲି ଏସଆରସି କହିଛନ୍ତି ।

ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ରହିବ । ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ୍‌ ରଖାଯିବ । ଛାତ୍ରଛାତ୍ରୀ/କର୍ମଚାରୀଙ୍କୁ ଓଆରଏସ୍‌ ଯୋଗାଇ ଦିଆଯିବ । ପିଲାମାନେ ସ୍କୁଲ, କଲେଜ ଯିବା ବେଳେ ସାଙ୍ଗରେ ପାଣି ବୋତଲ ନେଇଯିବାକୁ ଅଭିଭାବକଙ୍କୁ ସଚେତନ କରାଯିବ । ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ । ଡିସପେନ୍‌ସାରୀ, ପିଏଚ୍‌ସି, ସିଏଚ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌, ଓଆରଏସ୍‌ ମହଜୁଦ କରି ରଖାଯିବ । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର  ଅଲଗା ଅଲଗା ୱାର୍ଡ ଓ ଶଯ୍ୟା ବ୍ୟବସ୍ଥା ହେବ । କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ କାମ କରିବା ସମୟ ବଦଳିବ ।

ସେହିପରି ଖରା ଦିନେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ଯୋଗୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ମିଳିଲେ ଜିଲ୍ଲାପାଳ ସ୍ଥାନୀୟ ରାଜସ୍ୱ ଅଧିକାରୀ, ତହସିଲଦାର ବା ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ତଦନ୍ତ କରାଇବେ । ସହରାଞ୍ଚଳର ଅନ୍ୟ କୌଣସି ରାଜସ୍ୱ ଅଧିକାରୀ ଓ ସ୍ଥାନୀୟ ଚିକିତ୍ସା ଅଧିକାରୀ (ସିଡିଏମଓ/ଏସଡିଏମଓଙ୍କ ଦ୍ୱାରା ମନାନୀତ)ଏହି ମାମଲାର ତୁରନ୍ତ ମିଳିତ ତଦନ୍ତ କରିବେ । ଜିଲ୍ଲାପାଳଙ୍କ ମତାମତ ସହ ମିଳିତ ତଦନ୍ତ ରିପାର୍ଟ ମୃତ୍ୟୁର ୪୮ ଘଣ୍ଟା ଭିତରେ ଏସ୍‌ଆରସି ଅଫିସ୍‌ରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ ଶୋକସନ୍ତପ୍ତ ପରିବାରକୁ ସହାୟତା ଦିଆଯିବ ।

wp:embed {"url":"https://www.prameyanews7.com/divya-agarwal-ties-knot-with-apurva-padgaonkar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/divya-agarwal-ties-knot-with-apurva-padgaonkar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.