ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, ଟ୍ରାକ୍ଟରରେ ବୁହାହେଲା ମୃତଦେହ

Published By : Prameya-News7 Bureau | June 03, 2023 IST

ସୋର: ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଦ୍ୟତମ ଖବର ଅନୁଯାୟୀ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା। ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ତେବେ ସ୍ଥିତି ଦେଖିଲେ ମୃତକ ସଂଖ୍ୟା ଆହୁରି  ବଢିବାର ସମ୍ଭାବନା ରହିଛି। ଏହି ସମୟରେ ଦୁର୍ଘଟଣାସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।  ମୃତାହତଙ୍କୁ ହସ୍ପିଟାଲ୍ ନେବାକୁ ଆମ୍ବୁଲାନ୍ସ ଅଭାବ ପଡ଼ିଛି। ସ୍ଥିତି ଏମିତି ଯେ ଟ୍ରାକ୍ଟରରେ ମୃତଦେହ ବୁହା ହେଉଛି। ଏପରିକି ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍‌ କରି ମୃତଦେହ ବୁହା ହୋଇଛି। ଏଥିସହ ଆହତଙ୍କୁ ହସ୍ପିଟାଲ୍ ନେବାକୁ ବି ଆମ୍ବଲାନ୍ସ ଯଥେଷ୍ଟ ହୋଇନି। ଏମିତି ସ୍ଥିତିରେ ସ୍ଥାନୀୟ ଲୋକେ ଆଗକୁ ଆସି ଯଥା ସମ୍ଭବ ଉଦ୍ଧାରକାର୍ଯ୍ୟରେ ସହାୟତା କରିଛନ୍ତି.ଲୋକେ ନିଜ ବାକଇ୍‌ରେ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି।

ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ବେଳେ ଆହତ ଏବଂ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ରକ୍ତର ଆବଶ୍ୟକତା ପଡ଼ୁଥିବା ନେଇ ଡାକ୍ତରଖାନାର ଜଣେ ନର୍ସ ମେସେଜ୍‌ ଦେଇଥିଲେ। ଏହି ମେସେଜ ପରେ ବିଜୁଳି ବେଗରେ ଡାକ୍ତରଖାନାକୁ ଧାଇଁ ଆସିଛନ୍ତି ଆଖପାଖ ଅଞ୍ଚଳର ଲୋକ। ମାନବିକତାର ଜ୍ବଳନ୍ତ ଉଦାହରଣ ସାଜି ବାଲେଶ୍ବରର ଆଖପାଖ ଅଞ୍ଚଳରେ ପହଞ୍ଚିଯାଇଛନ୍ତିସଂଖ୍ୟାଧିକ ଲୋକ। ରକ୍ତ ବୁନ୍ଦାଏ ଦେଇ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନଙ୍କ ବଞ୍ଚାଇବାକୁ ସେମାନେ ଧାଇଁ ଆସିଛନ୍ତି।

{"id":797171,"sizeSlug":"full","linkDestination":"none"}

ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଏବଂ ଓଡ୍ରାଫ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ସିଏଚସି, ଗୋପାଳପୁର ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସିରେ ଭର୍ତ୍ତି କରାଯାଇଛି। ଟ୍ରେନର ବଗି ଓଲଟି ଯିବାରୁ ଏହା ତଳେ ଏବଂ ଭିତରେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି। ବାଲେଶ୍ଵର, ଭଦ୍ରକ  ହସ୍ପିଟାଲ୍ ସହ ଯାଜପୁର ଏବଂ କଟକ ଏସସିବି ହସ୍ପିଟାଲ୍‌କୁ ଆଲର୍ଟ ମୋଡ୍‌ରେ ରଖାଯାଇଛି। ଭୁବନେଶ୍ଵର ଏମ୍ସ ସହ ସମସ୍ତ ଘରୋଇ ହସ୍ପିଟାଲ୍ ପ୍ରସ୍ତୁତ ଅଛନ୍ତି। ଉଦ୍ଧାରକାର୍ଯ୍ୟରେ ୩ଟି ଏନଡିଆରଏଫ, ୪ଟି ଓଡ୍ରାଫ ଏବଂ ୨୦ ଅଗ୍ନିଶମ ଟିମ୍‌କୁ ନିୟୋଜିତ କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାପାଳ, ଯାଜପୁର ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କ ସହ ସମନ୍ଵୟ ରଖାଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରାଯାଉଛି।

{"id":797172,"sizeSlug":"full","linkDestination":"none"}

ବାତିଲ୍ କରାଯାଇଥିବା ଟ୍ରେନ

ଭୁବନେଶ୍ଵର, କୋଲକାତା ସହ ଚେନ୍ନାଇରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ-ରେଲଓ୍ଵେ ପକ୍ଷରୁ ଅଦ୍ୟାବଧି ୫ ଟ୍ରେନ ରଦ୍ଦ କରାଯାଇଛି। ପୁରୀ ଏକ୍ସପ୍ରେସ ୧୨୮୩୭, ଯଶବନ୍ତପୁର ଏକ୍ସପ୍ରେସ ୧୨୮୬୩, ସନ୍ତରାଗାଛି ପୁରୀ ସ୍ପେଶାଲ ୦୨୮୩୭, ସାଲିମାର-ସମ୍ବଲପୁର ୨୦୮୩୧, ଚେନ୍ନାଇ ମେଲ ୧୨୮୩୯କୁ ରଦ୍ଦ କରାଯାଇଛି।

କେଉଁଠି କେଉଁଠି ଜାରି ରହିଛି ହେଲ୍ପଲାଇନ୍ ନମ୍ବର

ଏମରଜେନ୍ସି କଣ୍ଟ୍ରୋଲ ରୁମ- ୬୭୮୨୨୬୨୨୮୬

ହାଓ୍ଵଡ଼ା- ୦୩୩-୨୬୩୮୨୨୧୭

ଖଡ଼ଗପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯

ବାଲେଶ୍ଵର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨

କୋଲକାତା ସାଲିମାର- ୯୯୦୩୩୭୦୭୪୬

ରେଳ ସହାୟତା- ୦୪୪-୨୫୩୫୪୭୭୧

ଚେନ୍ନାଇ ସେଣ୍ଟ୍ରାଲ ରେଲଓ୍ଵେ- ୦୪୪-୨୫୩୩୦୯୫୨, ୦୪୪-୨୫୩୩୦୯୫୩ ଏବଂ ୦୪୪-୨୫୩୫୪୭୭୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.