ନୂଆଦିଲ୍ଲୀ ୨୪।୪: ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଦ୍ୱାରା ହେଉଥିବା ମତଦାନର ପେପର ଅଡିଟ ଟ୍ରାୟଲ (ଭିଭିପିଏଟି) ସହିତ ପୂର୍ଣ୍ଣ ସତ୍ୟାପନ କରିବା ନେଇ ରୁଜୁ ପିଟିସନ ଉପରେ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ମାମଲାର ଶୁଣାଣି କାଳରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରି ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ଲାଗି ସେ କଣ୍ଟ୍ରୋଲିଂ ଅଥରିଟି ନୁହନ୍ତି ଓ ସାମ୍ବିଧାନିକ ଅଥରିଟି ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ କାମକୁ ନିର୍ଦ୍ଦେଶିତ କରିପାରିବେନି।
ଶୁଣାଣି କାଳରେ କୋର୍ଟ କହିଛନ୍ତି ଯେ ‘ଆମେ ସେହି ସବୁ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବା ନାହିଁ ଯାହା ଅନ୍ୟ ସାମ୍ବିଧାନିକ ପ୍ରାଧିକରଣ (ନିର୍ବାଚନ ଆୟୋଗ)ଙ୍କ ଦ୍ୱାରା ଆୟୋଜନ କରାଯାଏ’। ତେବେ କୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗ ସନ୍ଦେହ ଦୂର କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ବେଞ୍ଚ କହିଛନ୍ତି ଯେ କେବଳ ସନ୍ଦେହ ଆଧାରରେ କାର୍ଯ୍ୟାନୁଷ୍ଠାନ କରିପାରିବେନି। ଏହି ଆବେଦନ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) କୋର୍ଟରେ ଦାଖଲ କରିଥିଲେ।
ଏଡିଆରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପ୍ରଶ୍ନର ଜବାବ ଦେଇ କୋର୍ଟ କହିଛନ୍ତି ଯେ ଯଦି ଆପଣ କୌଣସି ବିଚାରପ୍ରକ୍ରିୟା ସମ୍ପର୍କରେ ପୂର୍ବନିର୍ଦ୍ଧାରିତ, ତେବେ ଆମେ ଆପଣଙ୍କୁ ସହାୟତା କରିପାରିବୁନି। ଆମେ ଏଠାରେ ଆପଣଙ୍କ ବିଚାର ବଦଳାଇବାକୁ ବସି ନାହୁଁ। ସୁପ୍ରିମକୋର୍ଟ ବୁଧବାର ଇଭିଏମର କାର୍ଯ୍ୟପ୍ରଣାଳୀ ସମ୍ପର୍କିତ ବିଶେଷ ଦିଗଗୁଡିକୁ ନେଇ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଥିଲେ। ଏହା ସହିତ ନିର୍ବାଚନ ଆୟୋଗଙ୍କ ଜଣେ ଶୀର୍ଷ ଅଧିକାରୀଙ୍କୁ ମଧ୍ୟାହ୍ନ ୨ଟା ବେଳେ ଡକାଇଥିଲେ।
ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆସିବା ପରେ ସୁପ୍ରିମକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ପୀଠ କହିଛନ୍ତି ଯେ କିଛି ଦିଗଗୁଡିକ ଉପରେ ସ୍ପଷ୍ଟିକରଣ ଆବଶ୍ୟକ। କାରଣ ଇଭିଏମ ଉପରେ ପ୍ରାୟତଃ କରାଯାଉଥି ପ୍ରଶ୍ନ (ଏଫଏକ୍ୟୁ) ସମ୍ପର୍କରେ ନିର୍ବାଚନ ଆୟୋଗ ଯେଉଁ ଉତ୍ତର ରଖିଛନ୍ତିଏଥିରେ କିଛି ଭ୍ରମ ରହିଛି। ବେଞ୍ଚ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପସ୍ଥିତି ଅତିରିକ୍ତ ସୋଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ କହିଥିଲେ ଯେ ‘ଆମେ ଭୁଲ ପ୍ରମାଣିତ’ ହେବାକୁ ଚାହୁଁ ନାହୁଁ, ବରଂ ନିଜ ନିଷ୍କର୍ସ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ତ ହେବାକୁ ଚାହୁଁଛୁ। ଏଥି ପାଇଁ ଆମେ ସ୍ପଷ୍ଟିକରଣ ମାଗିବାକୁ ଚିନ୍ତାକଲୁ।
ବେଞ୍ଚ ଭଟିଙ୍କୁ ବରିଷ୍ଠ ଉପନିର୍ବାଚନ କମିସନର ନିତେଶ କୁମାର ବ୍ୟାସଙ୍କୁ ମଧ୍ୟାହ୍ନ ୨ଟା ବେଳେ ଡକାଇବାକୁ କହିଥିଲେ। ଏହା ପୂର୍ବରୁ ବ୍ୟାସ୍ ଇଭିଏମର କାର୍ଯ୍ୟପ୍ରଣାଳୀ ନେଇ କୋର୍ଟରେ ଏକ ପ୍ରସ୍ତୁତି ଦେଇଥିଲେ। ଏଥିରେ ଇଭିଏମର ଷ୍ଟୋରେଜ, ଇଭିଏମର ନିୟନ୍ତ୍ରଣ ୟୁନିଟରେ ମାଇକ୍ରୋ ଚିପ୍ ଓ ଅନ୍ୟ ଦିଗଗୁଡିକ ସମ୍ପର୍କିତ କେତେକ ବିନ୍ଦୁରେ କଥା ହୋଇଥିଲା। ଏ ସମ୍ପର୍କରେ କୋର୍ଟ ସ୍ପଷ୍ଟିକରଣ ମାଗିଥିଲେ। ଭିଭିପିଏଟି ଏକ ସ୍ୱତନ୍ତ୍ର ଭୋଟ ସତ୍ୟାପନ ପ୍ରଣାଳୀ। ଏହା ଦ୍ୱାରା ମତଦାତା ଜାଣି ପାରିବେ ତାଙ୍କ ଭୋଟ ସେହି ବ୍ୟକ୍ତିଙ୍କୁ ଯାଇଛି ଯାହାଙ୍କୁ ସେ ଭୋଟ ଦେଇଛନ୍ତି।