ନୂଆଦିଲ୍ଲୀ ୧୦।୭: ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନିମ୍ନ ଅଦାଲତରୁ ମିଳିଥିବା ଜାମିନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କେଜରିୱାଲଙ୍କ ଜାମିନ ରଦ୍ଦ କରିବା ପାଇଁ ଇଡି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି, ଯାହା ଉପରେ ବୁଧବାର ଶୁଣାଣି ହେବାର ଥିଲା। ତେବେ କୋର୍ଟ ଇଡିଙ୍କ ଆବେଦନ ଉପରେ ଶୁଣାଣିକୁ ଜୁଲାଇ ୧୫ ତାରିଖକୁ ଟାଳି ଦେଇଛନ୍ତି।
ହେଲେ ଦିଲ୍ଲୀ ହାଇକୋର୍ଟ ଇଡିଙ୍କୁ କେଜରିୱାଲଙ୍କ ତର୍କ ଉପରେ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି। ଏଥି ପାଇଁ ଇଡି ହାଇକୋର୍ଟଙ୍କୁ ସମୟ ନିବେଦନ କରିଥିଲେ। କହିଥିଲେ ୯ ଜୁଲାଇ ବିଳମ୍ବିତ ରାତ୍ରିରେ କେଜରିୱାଲଙ୍କ ତର୍କର କପି ମିଳିଥିଲା। ତେବେ ଇଡିର ଏହି ତର୍କକୁ କେଜରିୱାଲଙ୍କ ଓକିଲ କୋର୍ଟରେ ବିରୋଧ କରିଛନ୍ତି, କହିଛନ୍ତି ୯ ଜୁଲାଇ ମଧ୍ୟାହ୍ନ ଗୋଟାଏ ବେଳେ ଯାଞ୍ଚ ଅଧିକାରୀଙ୍କୁ ଜବାବର କପି ଦେଇ ଦିଆଯାଇଥିଲା।
ତେବେ ଇଡିଙ୍କ ପକ୍ଷରୁ କୋର୍ଟରେ ହାଜର ଆଡିସନାଲ ସୋଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି କେଜରିୱାଲଙ୍କ ଓକିଲମାନେ ତାଙ୍କୁ ରାତି ୧୧ଟା ବେଳେ ଜବାବର କପି ଦେଇଛନ୍ତି। ସେ କହିଥିଲେ କେଜରିୱାଲଙ୍କ ଜବାବର ରିଜଏଣ୍ଡର ଦେବାକୁ ଚାହାଁନ୍ତି। ଏଥିରେ କେଜରିୱାଲଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଇଡି ଓକିଲଙ୍କ ଦାବିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ମୁଁ ନିଜେ ଗତକାଲି ମଧ୍ୟହ୍ନ ଗୋଟାଏ ବେଳେ ତଦନ୍ତ ଅଧିକାରୀଙ୍କୁ ଜବାବର କପି ଦେଇଥିଲି।
ସିଂଘଭୀ କହିଥିଲେ ଯେ ମାମଲା ଅଧିକ ଜରୁରି ଓ ସେ କାଉଁଣ୍ଟର ଜବାବ ଦେବାକୁ ପ୍ରସ୍ତୁତ ଓ ବିନା ଜବାବରେ ସେ ମାମଲାରେ ତର୍କ କରିବାକୁ ଚାହାଁନ୍ତି। ହେଲେ ହାଇକୋର୍ଟଙ୍କ ଜଜ୍ ଜଷ୍ଟିସ୍ ନିନା ବଂସଲ କୃଷ୍ଣା ମାମଲାର ଶୁଣାଣିକୁ ଜୁଲାଇ ୧୫ ତାରିଖକୁ ସ୍ଥଗିତ କରିଦେଇଛନ୍ତି।