ପଡିଲା ନିର୍ବାଚନୀ ଛାଟ, କାର୍ଯ୍ୟରୁ ବିଦାହେଲେ ଆଶାକର୍ମୀ

Published By : Prameya-News7 Bureau | May 11, 2024 IST

ବୌଦ୍ଧ ୧୧/୦୫: ବୌଦ୍ଧ ଜିଲ୍ଲାରେ ପୁଣି ଜଣେ ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିଲା ନିର୍ବାଚନ ଅଧିକାରୀଙ୍କ ଛାଟ । ରାଜନୈତିକ ଦଳର ଶୋଭାଯାତ୍ରାରେ ଯୋଗଦେଇ ନିଲମ୍ବିତ ହେଲେ ବାଉଁଶୁଣି ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଉସମିଲିକା ଗ୍ରାମର ଆଶା କର୍ମୀ ସବିତା ପ୍ରଧାନ । 

ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ନିଲମ୍ବିତ । ନିଲମ୍ବନ ଆଦେଶ ଦେଲେ ବୌଦ୍ଧ ନିର୍ବାଚନ ଅଧିକାରୀ ଜେ ସୋନାଲ। ସୂଚନା ଅନୁଯାୟୀ ଚଳିତ ନିର୍ବାଚନ ସମୟରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ ଉସମିଲିକା ଗ୍ରାମର ଆଶା କର୍ମୀ ସବିତା ପ୍ରଧାନ ଯୋଗଦେଇଥିବା ନେଇ ଫଟୋ ଏବଂ ଭିଡିଓ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲା।  

ଏହି ଅଭିଯୋଗ ଆଧାରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଉକ୍ତ ଆଶା କର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ପ୍ରମାଣିତ ହେବା ପରେ ନିଲମ୍ବନ ଆଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଜେ ସୋନାଲ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.