ଭୀମସାରରେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ଘଟଣା : ରିପୋର୍ଟ ତଲବ କଲେ ସ୍ବାସ୍ଥ୍ୟ ସଚିବ, ତଦନ୍ତ କରିବେ ୫ ଜଣିଆ ଟିମ୍

Published By : Prameya-News7 Bureau | October 30, 2019 IST

ସମ୍ବଲପୁର ୩୦।୧୦: ବୁର୍ଲା ଭୀମସାରରେ ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର ଘଟଣାରେ ସ୍ବାସ୍ଥ୍ୟ ସଚିବଙ୍କ ରିପୋର୍ଟ ତଲବ । ଘଟଣାର ତଦନ୍ତ କରିବ ୫ ଜଣିଆ ଟିମ୍  । ପ୍ରଫେସର ପ୍ରଭାତୀ ଦତ୍ତଙ୍କ ଅଧ୍ୟକ୍ଷତାରେ ତଦନ୍ତ କରିବ ଟିମ୍  । ଏନେଇ ମେଡିକାଲ ଇନଚାର୍ଜ ସୁପରିଟେଣ୍ଡଣ୍ଟ ଲାଲମୋହନ ନାୟକ ସୂଚନା ଦେଇଛନ୍ତି ।

ବୁର୍ଲା ନାଁରେ ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଦନ୍ତଶଲ୍ୟ ବିଭାଗରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଅସ୍ତ୍ରୋପଚାର କକ୍ଷକୁ ଷ୍ଟେରିଲାଇଜେସନ କରିବାକୁ ତାଲା ଝୁଲାଇ ଦିଆଯାଇଛି । ଓଟି ବନ୍ଦ ଥିବାରୁ ଅନ୍ୟ ରୋଗୀଙ୍କ ଅପରେସନ ବନ୍ଦ ରହିଛି । ତେବେ ପୁରା ଘଟଣାର ତଦନ୍ତ କରିବାକୁ ଦନ୍ତଶଲ୍ୟ ବିଭାଗ ମୁଖ୍ୟ, ମେଡିକାଲ ଅଧିକ୍ଷକ ଓ ଡିନ୍ ଙ୍କୁ ଚିଠି ଲେଖିଛନ୍ତି ।

ଗତ ୧୩ ତାରିଖରେ ଅନୁଗୁଳ ଜିଲ୍ଲା କିଶୋରନଗରର ଜଣେ ଏଚ୍ ଆଇଭି ସଂକ୍ରମିତ ରୋଗୀ ଦୁର୍ଘଟଣାର ଶିକାର ହେବା ପରେ ବୁର୍ଲା ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏହି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଦନ୍ତ ବିଭାଗକୁ ଅଣାଯାଇଥିଲା । ଦାୟିତ୍ବରେ ଥିବା ସହଯୋଗୀ ପ୍ରଫେସର ଡାକ୍ତର ପ୍ରଶାନ୍ତ ସ୍ବାଇଁ ତାଙ୍କ ଅସ୍ତ୍ରୋପଚାର କରିଥିଲେ । ରୋଗୀ ଜଣଙ୍କ ଏଚଆଇଭି ସଂକ୍ରମିତ ବୋଲି ସର୍ଜରୀ ବିଭାଗ ରିପୋର୍ଟରେ ଉଲ୍ଲେଖ ଥିଲା । ଏହା ବାଦ୍ ଏହି ରୌଗୀଙ୍କ ପରେ ଅନ୍ୟ ୩ଜଣଙ୍କ ଚିକିତ୍ସା ସେହି ଉପକରଣରେ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ରୋଗୀ ଓ ସମ୍ପର୍କୀୟ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ।

ଅନ୍ୟପକ୍ଷରେ ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି ରୋଗୀ ଏଚଆଇଭି ସଂକ୍ରମିତ ଥିବା ଜଣାପଡିଥିଲା । ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ବ୍ୟବହୃତ ଓଟି ସାମଗ୍ରୀ ଅଲଗା କରାଯାଇଥିଲା । ଅନ୍ୟମାନଙ୍କୁ ଅନ୍ୟ ବେଡ୍ ଓ ଅନ୍ୟ ଯନ୍ତ୍ରାଂଶରେ ଅସ୍ତ୍ରୋପଚାର କରାଯାଇଛି । ଏଚଆଇଭି ରୋଗୀଙ୍କୁ ଅସ୍ତ୍ରୋପ୍ରଚାର କରିବା ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.