ବିଦେଶ ଅପେକ୍ଷା ଭାରତରେ ଶସ୍ତାରେ ମିଳିବ କରୋନା ଟିକା, ସମସ୍ତଙ୍କ ଖର୍ଚ୍ଚ ସରକାର ଉଠାଇବେ ନାହିଁ !
4/12/2020 at 3:51 PM

ନୂଆଦିଲ୍ଲୀ ୦୪/୧୨: କରୋନା ମହାମାରୀ ସହ ବିଶ୍ବ ଲଢ଼ୁଛି। ଏବେ ଅପେକ୍ଷା କରୋନା ଭ୍ୟାକସିନ୍ କେବେ ଆସିବ। ଇଂଲଣ୍ଡ ଓ ଋଷ ନିଜ ଦେଶରେ ଟିକାକରଣ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଏବେ ବି ଭାରତରେ କରୋନା ଟିକାର ଟ୍ରାଏଲ ଚାଲିଛି। ଦେଶରେ ମୋଟ ୬ କରୋନା ଟିକାର ଟ୍ରାଏଲ୍ ଚାଲିଥିବା ବେଳେ ମାର୍ଚ୍ଚ ସୁଦ୍ଧା ଭ୍ୟାକସିନ୍ ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ପ୍ରମୁଖ କମ୍ପାନୀର ଭ୍ୟାକ୍ସିନ୍ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ତେବେ ଯେଉଁ ଭ୍ୟାକ୍ସିନ୍ ଶୀଘ୍ର ପ୍ରସ୍ତୁତ ହୋଇପାରିବ ତାର ଖର୍ଚ୍ଚ ସରକାର ଉଠାଇବେ ବୋଲି ଜଣାପଡ଼ିଛି।
ଭାରତକୁ ଖୁବ ଶୀଘ୍ର କରୋନା ଟିକା ମିଳିବାକୁ ଯାଉଥିବା ବେଳେ ଅନ୍ୟ ଦେଶ ତୁଳନାରେ ଏଠାରେ କରୋନା ଭ୍ୟାକ୍ସିନ୍ ମୂଲ୍ୟ ଶସ୍ତା ରହିବ। ଅନ୍ୟ ଦେଶ ତୁଳନାରେ ଭାରତରେ ଟିକା ଦାମ ଶସ୍ତା ହେବାକୁ ଥିବା ବେଳେ ପ୍ରାଥମିକତା ଭିତ୍ତିରେ ଦିଆଯିବାକୁ ଥିବା ଭ୍ୟାକ୍ସିନ୍ ପାଇଁ ଖର୍ଚ୍ଚ ସରକାର ଉଠାଇବେ। ଯେଉଁ ରୋଗୀଙ୍କ ଶରୀର ଅତ୍ୟନ୍ତ ଅସୁସ୍ଥ ତାଙ୍କ ପାଇଁ କରୋନା ଟିକା ମାଗଣା ରହିବ। ତେବେ ସମସ୍ତଙ୍କ ପାଇଁ ହେବାକୁ ଥିବା କରୋନା ଟିକା ଖର୍ଚ୍ଚ ସରକାର ଉଠାଇବେ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।
ନ୍ୟୁଜ୍ ୧୮ରେ ପ୍ରକାଶିତ ଖବର ଅନୁସାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯେଉଁ ୮ ଟିକା ସମ୍ପର୍କରେ ଉଲ୍ଲେଖ କରିଛି ସେଥିମଧ୍ୟରୁ କୌଣସି ବି ତୃତୀୟ ଚରଣ ଟ୍ରାଏଲ୍ରେ ପହଞ୍ଚିପାରି ନାହିଁ। ସେପଟେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାକୁ ନେଇ ଦେଶବାସୀଙ୍କୁ ଭରସା ଦେଇଛନ୍ତି।
କରୋନା ମୁକାବିଲାରେ ବୈଜ୍ଞାନିକଙ୍କୁ ବଡ ସଫଳତା ମିଳିଛି । ଭ୍ୟାକସିନର ଦାମ୍ କେତେ ରହିବ ସେନେଇ ରାଜ୍ୟ ସହ ଆଲୋଚନା ପରେ ସୂଚନା ଦିଆଯିବ । ଭ୍ୟାକସିନର ବିତରଣ ପାଇଁ ରାଜ୍ୟ ସହ ସମନ୍ୱୟ ରଖାଯିବ । ସର୍ବଦଳୀୟ ବୈଠକରେ ପ୍ରାୟ ୧୨ରୁ ଅଧିର ରାଜନୈତିକ ଦଳର ପ୍ରତିନିଧି ସାମିଲ ଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ୮ଟି ଭାକସିନର ଟ୍ରାଏଲ ଚାଲିଛି । ଦେଶରେ ତିନୋଟି ଭାକସିନ ପ୍ରସ୍ତୁତ ହୋଇଛି । ଦେଶରେ ଏକ ସ୍ବତନ୍ତ୍ର ସଫ୍ଟଓୟାର ତିଆରି କରାଯାଇଛି । ଏଥିରେ ଭ୍ୟାକସିନ୍ ବାବଦରେ ତଥ୍ୟ ରହିବ । ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।