ଓଡିଶାରେ ନାହିଁ କରୋନା ଭୟ, ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ ତଥାପି ଆମେ ମୁକାବିଲା ପାଇଁ କରିଛୁ ପ୍ରସ୍ତୁତି

Published By : Prameya-News7 Bureau | March 03, 2020 IST

ଭୁବନେଶ୍ବର ୩।୩: ବିଶ୍ବବ୍ୟାପୀ ଦେଖାଦେଇଛି କରୋନା ଭୟ । ଭାରତରେ ମଧ୍ୟ କାୟା ମେଲାଉଛି କରୋନା । ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନରେ ୩ ଜଣ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ଏମିତିରେ ଓଡିଶାରେ କରୋନା କରୋନା ଭୟ ନଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଝାରସୁଗୁଡା, ଭୁବନେଶ୍ବର ବିମାନବନ୍ଦର ଉପରେ କଡା ନଜର ରଖାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇନି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ସେ ଇଟଲୀରୁ ଫେରିଥିଲେ । ସେହିପରି ତେଲେଙ୍ଗାନାରେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ  ଯୁବକ ଜଣଙ୍କ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ସେ ବେଙ୍ଗାଲୁରୁରେ ଚାକିରି କରନ୍ତି । ନିକଟରେ ଦୁବାଇରୁ ଫେରିଥିବା ସୂଚନା ମିଳିଛି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନଙ୍କୁ ଅବଜରଭେସନରେ ରଖାଯାଇଥିବା କୁହାଯାଇଛି । ରାଜସ୍ଥାନରେ ଜଣେ ଇଟାଲି ନାଗରିକ କରୋନା ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଜୟପୁରର ଏସ୍.ଏମ୍.ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ କେରଳରେ ୩ ଜଣଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା । ତେବେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ କରୋନା ବ୍ୟାପିଲେ ସ୍ଥିତି ସାଂଘାତିକ ହେବେ ବୋଲି ନିକଟରେ ଆମେରିକାର ଏକ ଗୁଇନ୍ଦା ସଂସ୍ଥା ସତର୍କ କରାଇଥିଲା । ଏହାଛଡା ଭାରତ କିଭଳି କରୋନା ଭାଇରସ୍ ସହ ମୁକାବିଲା କରିବ ସେନେଇ ଆମେରିକା ଚିନ୍ତା ପ୍ରକଟ କରିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କିନ୍ତୁ କହିଛନ୍ତି କରୋନା ମୁକାବିଲା ଲାଗି ଆମେ ପ୍ରସ୍ତୁତ । ଦେଶର ସବୁ ପ୍ରମୁଖ ଏୟାରପୋର୍ଟ ଏବଂ ବନ୍ଦରରେ ବିଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ଏପର୍ଯ୍ୟନ୍ତ ଦେଶର ୨୧ଟି ପ୍ରମୁଖ ଏୟାରପୋର୍ଟରେ ୫ ଲକ୍ଷ ୫୭ ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇସାରିଲାଣି । ସେହିପରି ବନ୍ଦର ଗୁଡ଼ିକରେ ୧୨ ହଜାର ୪ ଶହ ଲୋକଙ୍କୁ ସ୍କ୍ରିନିଂ କରାଯାଇସାରିଲାଣି । ଚୀନ୍, ଜାପାନ ଓ ଇରାନରୁ ଆସିବାକୁ ଥିବା ଲୋକଙ୍କର ଭିସା ଅନ୍ ଆରାଇଭାଲ୍ ବାତିଲ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.