ଏସ୍ଏନ୍ସିୟୁରେ ଟିକ୍ଟକ୍ ଭିଡିଓ ଭାଇରାଲ୍ ଘଟଣା : ବଢିଲା ତିନି ନର୍ସଙ୍କ ଅଡୁଆ, ରିପୋର୍ଟ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀ
28/06/2019 at 10:09 AM

ଭୁବନେଶ୍ବର ୨୮|୬: ଏସଏନସିୟୁ ଭିତରର ଟିକ୍ ଟକ୍ ଭିଡିଓ ଭାଇରାଲ ଘଟଣାକୁ ଗମ୍ଭୀରତାର ସହ ନେଇ ଭିଡିଓ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହା ସହ ତିନି ନର୍ସଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ବିଷୟରେ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିକ୍ ଟକ୍ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ତିନି ଜଣ ନର୍ସ ଏସଏନସିୟୁ ଥିବା ଜଣେ ଶିଶୁକୁ ଧରି ଭିଡିଓ ପ୍ରସ୍ତୁତ କରିଥିଲେ ।
ତେବେ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲେ ଏସ୍ ଏନ୍ ସିୟୁରେ ଭର୍ତି କରାଯାଏ। ୨୪ ଘଣ୍ଟିଆ ଯତ୍ନ ନେବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ କର୍ମଚାରୀଙ୍କୁ ନିୟୋଜିତ କରାଯାଏ। ଏପରିକି ଏହି ବିଭାଗକୁ ଯିବା ପାଇଁ କିଛିଟା କଟକଣା ରହିଛି। ତେଣୁ ଭିଡିଓ ଭାଇରାଲ ହେବା ପରେ ତିନି ଜଣଙ୍କୁ ନୋଟିସ ଜାରି କରିଛନ୍ତି ସିଡିଏମଓ । ସେମାନଙ୍କ ଉତ୍ତର ମିଳିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଭିଡିଓ ଗୁଡ଼ିକ ଭାଇରାଲ ହେବାପରେ ପ୍ରଶାସନ ବି ତତ୍ପରତା ପ୍ରକାଶ କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ମେଡିକାଲକୁ ଯାଇ ତଦନ୍ତ କରିଛନ୍ତି। ମେଡିକାଲ କର୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।