Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ

29/01/2023 at 7:45 PM

ଭୁବନେଶ୍ଵର: ଆଉ ନାହାନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କିଛି ଘଣ୍ଟା ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ନବ ଦାସଙ୍କ ଉପରକୁ ଗୁଳିମାଡ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ଘଟଣାକୁ କେହି ବିଶ୍ଵାସ କରି ପାରୁ ନାହାନ୍ତି। ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ ହୋଇଛି। ୬୧ ବର୍ଷ ବୟସରେ ନବ ଦାସଙ୍କ ମୃତ୍ୟୁ ଘଟିଛି।

ହସ୍ପିଟାଲ୍ କର୍ତ୍ତୃପକ୍ଷ ନିଜ ବୟାନରେ କହିଛନ୍ତି ଯେ, ନବ ଦାସଙ୍କ ଅସ୍ତ୍ରୋପଚାର କରାଯିବା ସହ ହୃଦୟର ଗତିରେ ସୁଧାର ପାଇଁ ଉଦ୍ୟମ କରାଯାଇଥିଲା। ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ୍ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସ୍ଵତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ନବଙ୍କ ଅସ୍ତ୍ରୋପଚାର କରି ବଞ୍ଚାଇବାକୁ ଶତ ଚେଷ୍ଟା କରିଥିଲେ। ବିଶେଷଜ୍ଞ ଦଳରେ ଆପୋଲ, ଏସସିବି ଏବଂ କ୍ୟାପିଟାଲ୍ ହସ୍ପିଟାଲ୍‌ର ଡାକ୍ତର ସାମିଲ୍ ଥିଲେ। ହେଲେ ନବଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଲାଗିଥିଲା। ଆଉ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସମୟରେ ଜଣେ ପୋଲିସ ଏଏସ୍‌ଆଇ ଗୁଳିମାଡ଼ କରିଥିଲେ । ଯେଉଁଥିରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ସେ ପଡ଼ିଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡର ଜରିଆରେ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।  ଏହାସହିତ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଓ ନେତାଙ୍କ ସୂଅ ଛୁଟିବାରେ ଲାଗିଥିଲା। ନବଦାସଙ୍କ ଉପରକୁ ଗୁଳିମାଡ କରିଥିବା ଏଏସଆଇ ହେଉଛନ୍ତି ଗୋପାଳକୃଷ୍ଣ ଦାସ। ତେବେ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ତାର କାରଣ ଜଣା ପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଆଇଆଇସି ପ୍ରଦ୍ୟୁମ୍ନ ସ୍ଵାଇଁ।  ଅଭିଯୁକ୍ତ ଏଏସଆଇକୁ ଅଟକ ରଖାଯାଇଛି।

ଉଲ୍ଲେଖନୀୟ ନବ ଦାସ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଛନ୍ତି। ସେ ଲଗାତାର ଉକ୍ତ ଆସନରୁ ବିଜୟ ହୋଇଥିଲେ। ୨୦୦୯ ଏବଂ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢି ଜିତିଥିଲେ। ଏହା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଏବଂ ଉକ୍ତ ନିର୍ବାଚନ ଜିତିଥିଲେ। ଏହା ପରେ ତାଙ୍କୁ ବିଜେଡି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଥିଲା। ବର୍ତ୍ତମାନ ସେ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ପଶ୍ଚିମ ଓଡିଶାର ଜଣେ ଟାଣୁଆ ଏବଂ ପ୍ରଭାବଶାଳୀ ନେତା ଥିଲେ। ଝାରସୁଗୁଡା ନିର୍ବାଚନୀ ମଣ୍ଡଳୀରେ ଅପ୍ରତିଦ୍ଵନ୍ଦ୍ଵୀ ଏବଂ ଲୋକପ୍ରିୟ ନେତା ଥିଲେ।

   Related Posts