କରୋନା ରୋଗୀଙ୍କୁ ନେଇ ହୋଇଥିବା ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ; ୧୧୮ ଗୁଣା ବଢ଼ିଥାଏ ମୃତ୍ୟୁ ଆଶଙ୍କା

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ(୨୭/୧୦): ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବରେ ଏହାର କାୟା ମେଲାଇ ରଖିଛି କରୋନା ମହାମାରୀ। ଅବଶ୍ୟ ଏବେ ସଂକ୍ରମଣ ମାମଲାରେ ଆଶାନୁରୂପ ଭାବରେ ହ୍ରାସ ପାଇଛି। କିନ୍ତୁ ଏବେବି ଅନେକ ଦେଶରେ ଏହାର ପ୍ରକୋପ ଦେଖିବାକୁ ମିଳୁଛି। କରୋନାକୁ ନେଇ ଅନେକ ଗବେଷଣା ମଧ୍ୟ ଜାରି ରହିଛି। ଏବେ ଏଭଳି ଏକ ଗବେଷଣାରୁ କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଲଣ୍ଡନର ମେରୀ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରେ, କରୋନା ପରେ ହେବାକୁ ଥିବା ଦୁଷ୍ପ୍ରଭାବକୁ ନେଇ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣାରେ କୁହାଯାଇଛି ଯେ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କଠାରେ ବ୍ଲଡ କ୍ଳଟିଂ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବିପଦ ଅଧିକ ରହିଥାଏ। କେବଳ ସେତିକି ନୁହେଁ ଅଣ-ସଂକ୍ରମିତଙ୍କ ତୁଳନାରେ ସଂକ୍ରମିତଙ୍କ ଠାରେ ଏହି ବିପଦ ଅଧିକ ରହିଥାଏ।

କ୍ବିନ୍ସ ମେରୀ ୟୁନିଭର୍ସିଟିରେ ଏହି ଗବେଷଣା ଲଣ୍ଡନର ୫୪ ହଜାରରୁ ଅଧିକ ସଂକ୍ରମିତ ଏବଂ ଅଣ-ସଂକ୍ରମିତ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା। ଗବେଷଣାରେ ସାମ୍ନାକୁ ଆସିଥିଲା ଯେ, ଯେଉଁ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇନଥିଲେ। ସେମାନଙ୍କଠାରେ ଅଣ-ସଂକ୍ରମିତଙ୍କ ତୁଳନାରେ ବ୍ଲଡ କ୍ଲଟିଂର ବିପଦ ୨.୭ ଗୁଣା ଅଧିକ ରହିଥାଏ। ଏଭଳି ରୋଗୀଙ୍କ ଠାରେ ମୃତ୍ୟୁ ଆଶଙ୍କା ମଧ୍ୟ ଅଣ-ସଂକ୍ରମିତଙ୍କ ତୁଳନାରେ ୧୦.୨ ଗୁଣା ଅଧିକ ମିଳିଛି। ଗବେଷଣାରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କରୋନା ସଂକ୍ରମିତଙ୍କ ଠାରେ ହୃଦ ରୋଗ ସମ୍ବନ୍ଧୀୟ ବିପଦ ବଢ଼ିଥାଏ। ସେହିଭଳି ଯେଉଁ କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡ଼ୁନାହିଁ, ସେମାନଙ୍କଠାରେ ବ୍ଲଡ କ୍ଲଟିଂର ବିପଦ ଅଧିକ ଥାଏ।

ହସ୍ପିଟାଲରେ ଭର୍ତ୍ତି ହେଉଥିବା କରୋନା ରୋଗୀଙ୍କ ମଧ୍ୟରେ ଅଣ-ସଂକ୍ରମିତଙ୍କ ତୁଳନାରେ ବ୍ଳଡ କ୍ଲଟିଂର ୨୭.୬ ଗୁଣା, ହାର୍ଟ ଆଟାକ୍‌ର ୨୧.୬ ଗୁଣା, ଷ୍ଟ୍ରୋକ୍ ୧୭.୫ ଏବଂ  କାର୍ଡିଆକ୍ ଆର୍ଥିମିୟା ୧୦ ଗୁଣା ବିପଦ ଅଧିକ ରହିଥାଏ। ଏତିକି ନୁହେଁ ଏଭଳି କରୋନା ରୋଗୀଙ୍କ ଠାରେ ମୃତ୍ୟୁର ଆଶଙ୍କା ମଧ୍ୟ ଅଣ-ସଂକ୍ରମିତଙ୍କ ତୁଳନାରେ ୧୧୮  ଗୁଣା ଅଧିକ ଥାଏ। ସେହିଭଳି ଯେଉଁ କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ଆବଶ୍ୟକ ପଡ଼ିନଥାଏ, ସେମାନଙ୍କଠାରେ ବ୍ଲଡ୍ କ୍ଳଟିଂର ବିପଦ ୨.୭ ଗୁଣା ଅଧିକ ହୋଇଥାଏ। ଏଭଳି ରୋଗୀଙ୍କ ମୃତ୍ୟୁ ଆଶଙ୍କା ମଧ୍ୟ ୧୦ ଗୁଣା ଅଧିକ ରହିଥାଏ।  ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ବ୍ଳଡ କ୍ଳଟିଂ ଏବଂ ହୃଦ ରୋଗ ସମ୍ବନ୍ଧୀୟ ବିପଦ ସବୁଠୁ ଅଧିକ ରହିଥାଏ। ଅବଶ୍ୟ ଏହି ବିପଦ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ।

ସେପଟେ କାଲିଫର୍ଣ୍ଣିଆର ସ୍କିଡଥ ହାର୍ଟ ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହି ବିଷୟରେ ଏକ ଗବେଷଣା କରିଛି। ଏଥିରେ ସାମ୍ନାକୁ ଆସିଛି ଯେ କରୋନା କାରଣରୁ ହାର୍ଟ ଆଟାକ୍‌ର ବିପଦ ଅଧିକ ବଢ଼ିଛି। ରିସର୍ଚ୍ଚ ଅନୁଯାୟୀ ୨୪ ରୁ ୪୪ ବର୍ଗ ବୟସର ଲୋକଙ୍କଠାରେ ହାର୍ଟ ଆଟାକ୍‌ର ବିପଦ ଅଧିକ ଦେଖାଦେଇଛି। ତଥ୍ୟ ଅନୁଯାୟୀ କରୋନା କାଳ ପୂର୍ବରୁ ହାର୍ଟ ଆଟାକ୍‌ରେ ମୃତ୍ୟୁ ସଂଖ୍ୟା ୧.୪୪ ଲକ୍ଷ ଥିଲା, କିନ୍ତୁ କରୋନା କାଳରେ ଏହି ସଂଖ୍ୟା ୧.୬୪ ଲକ୍ଷ ପହଞ୍ଚିଥିଲା, ଅର୍ଥାତ୍ ୧୪ ପ୍ରତିଶତ ବୃଦ୍ଧି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.