ବଢ଼ୁଛି ଗ୍ରୀଷ୍ମ ପ୍ରକୋପ, ଅଂଶୁଘାତ ପ୍ରତି ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ, ଆବଶ୍ୟକ ନଥିଲେ ଖରାବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ

Published By : Prameya-News7 Bureau | April 26, 2022 IST

ଭୁବନେଶ୍ୱର, ୨୬/୦୪: ଖରାର ପ୍ରକୋପ ବଢୁଥିବାରୁ ଅଂଶୁଘାତ ପ୍ରତି ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ । ଖରା ସମୟରେ ତାପମାତ୍ରା ବଢିଥାଏ । ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି । ଏହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି । ଖରା ବେଳେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖରା ସମୟରେ କାମ ବନ୍ଦ ରଖିବାକୁ କୁହାଯାଉଛି । ଏଥିସହିତ ବାହାରକୁ ବାହାରିଲେ ପାଖରେ ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ। ମାତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଡାକ୍ତରଖାନାରେ ସମସ୍ତ ପ୍ରକାରର ଔଷଧ ମହଜୁତ ରଖିବା ସହ ସ୍ୱତନ୍ତ୍ର ଶଯ୍ୟା ରଖାଯାଇଛି । ହସ୍ପିଟାଲରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି । ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଆସନ୍ତା ୫ ଦିନ ଯାଏ ନିସ୍ତାର ନାହିଁ । ଏନେଇ ସୂଚନା ଦେଇଛି ଆଇଏମଡି । ସେଥିପାଇଁ ୭ ଜିଲ୍ଲାକୁ ହିଟ୍ ଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିନ୍ତୁ ଗତ ୨ ଦିନ ତୁଳନାରେ ଆଜି ତାତି ସାମାନ୍ୟ କମିଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ସମ୍ବଲପୁର । ସମ୍ବଲପୁରର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ପାରଦ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା । ୪୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଖାଲି ସେତିକି ନୁହେଁ, ୪୨ ଡିଗ୍ରୀ ଉପରକୁ ୧୬ ସହର ତାପମାତ୍ରା ଡେଇଁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.