ମହିଳା ହେଲ୍ପ ଲାଇନ ନମ୍ବର ରକ୍ଷା କଲା ଯୁବତୀଙ୍କ ଇଜ୍ଜତ, ଦଲାଲଙ୍କ ସମେତ ୩ ଗିରଫ
21/07/2019 at 8:15 PM

ହରିୟଣା: ମହିଳା ହେଲ୍ପଲାଇନ ଯୋଗୁ ଜନୈକା ଯୁବତୀ ଅଳ୍ପକେ ନିଜ ଇଜ୍ଜତ ରକ୍ଷା କରିଛନ୍ତି। ହେଲ୍ପଲାଇନ ସୂଚନା ପାଇ ନିକଟସ୍ଥ ପୋଲିସଷ୍ଟେସନ ଯୁବତୀଙ୍କୁ ଏକ ହୋଟଲରୁ ଉଦ୍ଧାର କରିଥିବା ବେଳେ ମାମଲାରେ ମହିଳା ଦଲାଲଙ୍କ ସମେତ ୨ ଜଣ ପୁରୁଷ ଗ୍ରାହକଙ୍କୁ ଗିରଫ କରାୟାଇଛି। ଚାକିରୀ କରେଇ ଦେବାକୁ କହି ଦଲାଲ ଯୁବତୀଙ୍କୁ କର୍ଣ୍ଣାଲରୁ କାଲାଆମ୍ବ ଆଣି ଏଠାରେ ଦେହ ବ୍ୟବସାୟରେ ଲିପ୍ତ କରାଇବାକୁ ଉଦ୍ୟମ କରୁଥିଲେ। ଏଥିପାଇଁ ଏକ ନାମୀ ହୋଟେଲର ଅବସ୍ଥାନ କରୁଥିବା ଗ୍ରାହକଙ୍କ ନିକଟକୁ ଯୁବତୀଙ୍କୁ ପଠାଇ ଥିବା ବେଳେ ସୂଚନା ପାଇ ପୋଲିସ ଚଢଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି। ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

କର୍ଣ୍ଣାଲରେ ବ୍ୟୁଟି ପାର୍ଲର ଚଳାଉଥିବା ମହିଳା ତାଙ୍କୁ ଚାକିରୀ କରାଇ ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ସେ ତାଙ୍କୁ କାଲାଆମ୍ବ ଆଣି ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ତାଙ୍କୁ ହୋଟେଲକୁ ପଠାଇଥିଲେ। ତେବେ ଚାକିରୀ ନୁହେଁ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିବା ଯୁବତୀ ଜାଣିବା ମାତ୍ରେ ହରିୟାଣା ମହିଳା ହେଲ୍ପ ଲାଇନକୁ ସହାୟତା ନିମନ୍ତେ ନିବେଦନ କରିଥିଲେ। ତେବେ ବ୍ୟୁଟି ପାର୍ଲର ଚଳାଉଥିବା ମହିଳାଙ୍କ ଏହି ଯୁବତୀ ପ୍ରଥମ ଶିକାର ନୁହଁନ୍ତି । ପୂର୍ବରୁ ମଧ୍ୟ ସେ ଭଲ ଘରର ଯୁବତୀ ଓ ମହିଳାଙ୍କୁ ଏଭଳି ଲୋଭନୀୟ ପ୍ରଲୋଭନ ଦେଇ ବାହାରକୁ ଦେହ ବ୍ୟବସାୟ କରିବାକୁ ପଠାଇଥିବା ସନ୍ଦେହ କରାଯାଉଛି।

ପୋଲିସ ମହିଳାଙ୍କ ସମେତ ଗିରଫ କରିଥିବା୨ ଗ୍ରାହକଙ୍କୁ ଏବେ ପଚରା ଉଚରା କରୁଛି। ସେମାନଙ୍କଠାରୁ ଏକ ବଡ ସେକ୍ସ ରାକେଟର ସନ୍ଧାନ ମିଳିବ ବୋଲି ଆଶଙ୍କା କରାଯାଉଥିବା ବେଳେ ରାକେଟ୍ ପଛରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଣୁ କାଲାଆମ୍ବ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।