ରୋହିତଙ୍କୁ ନେଇ ବଡ ବୟାନ ଦେଲେ ଦ୍ରାବିଡ, ଏବେ ବି ୩୬ ଘଣ୍ଟା ବାକି ରହିଛି, ସେ ବାଦ୍ ପଡି ନାହାନ୍ତି

Published By : Prameya-News7 Bureau | June 29, 2022 IST

ବର୍ମିଂଘମ: ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମା ବାଦ୍ ପଡିବା ଖବର ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବଡ ବୟାନ ଦେଇଛନ୍ତି। ରୋହିତ ଶର୍ମା ବୁଧବାର ସକାଳେ କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଥିଲା। ତଥାପି ସେ ମ୍ୟାଚ୍ ପୂର୍ବରୁ ଫିଟ୍ ହେବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି।

ଦ୍ରାବିଡ ପଞ୍ଚମ ଟେଷ୍ଟ ପୂର୍ବରୁ କହିଛନ୍ତି, ରୋହିତଙ୍କ ଉପରେ ଆମର ଡାକ୍ତରୀ ଦଳଙ୍କ ନଜର ରହିଛି। ସେ ଏବେ ବି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡି ନାହାନ୍ତି। ତେଣୁ ତାଙ୍କୁ ଦଳରେ ସାମିଲ୍ ହେବା ପାଇଁ କୋଭିଡ୍ ନେଗେଟିଭ୍ ହେବାକୁ ପଡିବ। ତାଙ୍କ ଉପରେ ଆମେ ନଜର ରଖିଛୁ। ଏବେ ବି ୩୬ ଘଣ୍ଟା ବାକି ରହିଛି। ଏଥିପାଇଁ ଆଜି ରାତିରେ ତାଙ୍କର ଟେଷ୍ଟ ହେବ ଏବଂ ଦରକାର ପଡିଲେ ଗୁରୁବାର ସକାଳେ ମଧ୍ୟ ହୋଇପାରେ। ଏହା ବାସ୍ତବରେ ଡାକ୍ତରୀ ଦଳ ଏବଂ କ୍ରୀଡା ବିଜ୍ଞାନ ଦଳଙ୍କ ଉପରେ ନିର୍ଭର କରେ ଏବଂ ସେମାନେ ହିଁ ନିଷ୍ପତ୍ତି ନେବେ। ଆମେ କେବଳ ରୋହିତଙ୍କ ଉପରେ ନଜର ରଖିବୁ ବୋଲି କହିଛନ୍ତି ରାହୁଲ ଦ୍ରାବିଡ।

ଏହା ପୂର୍ବରୁ ଖବର ଆସିଥିଲା ଯେ, ଏକମାତ୍ର ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ଯଦି ଏମିତି  ହୁଏ ଯଶପ୍ରୀତ ବୁମରା ଗତ ୩୫ ବର୍ଷରେ ଭାରତୀୟ ଟେଷ୍ଟ ଦଳ ନେତୃତ୍ଵ ନେବାରେ ପ୍ରଥମ ବୋଲର ହେବେ। ଶେଷ ଥର ଦ୍ରୁତ ବୋଲର ହିସାବରେ ୧୯୮୭ରେ କପିଲ୍ ଦେବ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ଵ କରିଥିଲେ। ଏହା ପରଠୁ କୌଣସି ଦ୍ରୁତ ବୋଲର ଭାରତୀୟ ଦଳର ନେତୃତ୍ଵ ନେଇ ନାହାନ୍ତି।

କିନ୍ତୁ ପଞ୍ଚମ ଟେଷ୍ଟରେ ଅଧିନାୟକ କିଏ ହେବ ସେ ପ୍ରଶ୍ନର ଉତ୍ତରରେ ଦ୍ରାବିଡ କାହାରି ନାମ ନେଇ ନାହାନ୍ତି।ସେ କହିଛନ୍ତି, ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଁ ଆନୁଷ୍ଠାନିକ ସୂଚନାକୁ ଅପେକ୍ଷା କରିବା ଉଚିତ୍। ରୋହିତ ଲିସେଷ୍ଟାୟର ବିପକ୍ଷ ଅଭ୍ୟାସ୍ ମ୍ୟାଚରେ କରୋନା ସଂକ୍ରମିତ ହୋଇଥିଲେ। ସେ ପୂରା ମ୍ୟାଚ୍ ଖେଳି ପାରିନଥିଲେ। ସେହି ଦିନଠୁ ସେ ସଙ୍ଗରୋଧରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.