ସୁସ୍ଥ ହେବା ଦିଗରେ ଆଉ ପାଦେ ଆଗେଇଲେ ପନ୍ତ, ଏବେ ପାଣିରେ ଚାଲିଲେ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପ୍ରଥମ Video
15/03/2023 at 6:47 PM

ନୂଆଦିଲ୍ଲୀ: ଭାରତୀୟ ତାରକା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଶୀଘ୍ର ସୁସ୍ଥ ହେବା ପାଇଁ ନିଜର ଯଥା ସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ୨୦୨୨ ଡିସେମ୍ବର ୩୧ ବିଳମ୍ବିତ ରାତ୍ରିରେ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।ତେବେଠୁ ପନ୍ତଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି। ପନ୍ତ ଗତ ମାସରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଆଶା ବାଡି ଧରି ଚାଲୁଥିବା ଦେଖିବାକୁ ମିଳିଥିଲା। ଏବେ ପନ୍ତ ଦୁର୍ଘଟଣା ପରେ ନିଜର ପ୍ରଥମ ଭିଡିଓ ସେୟାର କରିଛନ୍ତି, ଯାହା ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ପନ୍ତ ପାଣିରେ ଚାଲୁଥିବା ଦେଖିବାକୁ ମିଳିଛି।
One step forward
— Rishabh Pant (@RishabhPant17) February 10, 2023
One step stronger
One step better pic.twitter.com/uMiIfd7ap5
ପନ୍ତ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓ ସହିତ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଛୋଟ ଜିନିଷ, ବଡ ଜିନିଷ ଏବଂ ଏହି ସମୟରେ ସମସ୍ତ ଜିନିଷ ପାଇଁ ମୁଁ କୃତଜ୍ଞ। ପନ୍ତଙ୍କ ଏହି ଭିଡିଓକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ପନ୍ତଙ୍କ ସୁସ୍ଥତା ନେଇ ତାଙ୍କ ପ୍ରଶଂସକ ଢେର ସାରା କାମନା କରିଛନ୍ତି। କିଛି ମିନିଟ୍ ଭିତରେ ପନ୍ତଙ୍କ ପୋଷ୍ଟକୁ ଲକ୍ଷାଧିକ ଲାଇକ୍ସ ମିଳିଲାଣି। ପୋଷ୍ଟ ଲାଇକ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପୂର୍ବତନ ବ୍ୟାଟର ସୁରେଶ ରୈନା ମଧ୍ୟ ଅଛନ୍ତି।
ଗୁରୁତର ଆହତ ହେବା କାରଣରୁ ପନ୍ତ ଦୀର୍ଘ ସମୟ କ୍ରିକେଟ୍ରୁ ଦୂରରେ ରହିବେ। ଆଗାମୀ ଅନେକ ମାସ ଧରି ତାଙ୍କର ପଡିଆକୁ ଫେରିବାର ସମ୍ଭାବନା ନାହିଁ। ପନ୍ତ କିଛି ସପ୍ତାହ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ଜୀବନ ଶୈଳୀକୁ ନେଇ ଦୃଷ୍ଟିଭଙ୍ଗୀରେ ବହୁତ ପରିବର୍ତ୍ତନ ଆସିଛି। ମୋ ପାଇଁ ଏହା କହିବା ମୁସ୍କିଲ ଯେ, ମୋର ଚତୁଃପାର୍ଶ୍ଵ ସବୁ କିଛି ନକରାତ୍ମକ ରହିଛି ନା ସକରାତ୍ମକ ରହିଛି। ଦୁର୍ଘଟଣା ପରଠୁ ମୋତେ ପ୍ରତ୍ୟେକ ଦିନ ଦାନ୍ତ ଘଷିବା ଏବଂ ଖରାରେ ବସିବାକୁ ଖୁସି ମିଳୁଛି।