'ପଠାନ' ଚଳଚ୍ଚିତ୍ରକୁ ନେଇ ଧମକ, ସୁରକ୍ଷା ଦେବାକୁ ସରକାରଙ୍କୁ ଅନୁରୋଧ କଲେ ସିନେମା ହଲ୍ ମାଲିକ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ଜାନୁଆରୀ ୨୫ରେ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ ରିଲିଜ୍ ହେବାକୁ ଯାଉଛି। ଏ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଆଡଭାନ୍ସ ଟିକେଟ୍ ବୁକିଂ ଜୋରଦାର ଚାଲିଛି। ତେବେ ଏହା ମଧ୍ୟରେ ଗୁଜରାଟର ମଲ୍ଟିପ୍ଲେକ୍ସ ଆସୋସିଏସନକୁ ପଠାନର ସ୍କ୍ରିନିଂକୁ ନେଇ ଧମକ ମିଳିଛି। ତେଣୁ ମଲ୍ଟିପ୍ଲେକ୍ସ ଆସୋସିଏସନ ପଠାନ ଫିଲ୍ମର ସ୍କ୍ରିନିଂ ସମୟରେ ସିନେମା ହଲ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କୁ ଅନୁରୋଧ କରିଛନ୍ତି।

ଏ ନେଇ ମଙ୍ଗଳବାର ରାଜ୍ୟ ଗୃହମନ୍ତ୍ରୀଙ୍କୁ ସିନେମା ହଲ୍ ସଂଗଠନ ଚିଠି ଲେଖିଛନ୍ତି, ସିନେମା ହଲ୍ ମାଲିକଙ୍କୁ ଲିଖିତ ଭାବେ ଏବଂ ଫୋନ୍ କରି ପଠାନ ଚଳଚ୍ଚିତ୍ରର ସ୍କ୍ରିନିଂ ନକରିବାକୁ ଧମକ ଚମକ ଦେଉଛନ୍ତି। ସଂଗଠନ ଏହା ମଧ୍ୟ କହିଛନ୍ତି, ଶାହରୁଖଙ୍କ ଚଳଚ୍ଚିତ୍ରକୁ ସେନସନ ଦ୍ଵାରା ସବୁଜ ସଙ୍କେତ ମିଳିଛି। ଅନ୍ୟ କୌଣସି ସଂଗଠନର ମଧ୍ୟ ପଠାନ ଫିଲ୍ମକୁ ନେଇ କୌଣସି ଆପତ୍ତି ନାହିଁ।

ଅନେକ ସଂଗଠନ ବେଆଇନ ଭାବେ ସିନେମା ହଲ୍ ମାଲିକଙ୍କୁ ଟାର୍ଗେଟ୍ କରୁଛନ୍ତି। ନିଜ ହଲ୍‌ରେ ପଠାନ ଫିଲ୍ମ ରିଲିଜ୍ କଲେ ପରିଣାମ କିଛି ଠିକ୍ ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ସିନେମା ହଲ୍‌କୁ ସୁରକ୍ଷା ଦେବାକୁ ସେମାନେ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ପଠାନ ଚଳଚ୍ଚିତ୍ର ଗୀତ ବେସରମ ରଙ୍ଗକୁ ନେଇ ବିବାଦ ଘେରରେ ଥିଲା। ଫିଲ୍ମକୁ ଅନେକ ବିରୋଧର ସାମ୍ନା କରିବାକୁ ପଡିଥିଲା। ଏପରିକି ଚଳଚ୍ଚିତ୍ର ଉପରେ କଟକଣା ଲଗାଯାଉ ବୋଲି ସାମାଜିକ ଗଣମାଧ୍ୟମରେ ଦାବି ଜୋର ଧରିଥିଲା। କାରଣ ଦୀପିକା ଗେରୁଆ ବିକିନି ପିନ୍ଧି ଉକ୍ତ ଗୀତରେ ନଜର ଆସିଥିଲେ। ଏହା ହିନ୍ଦୁଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିଲା ବୋଲି ଅଭିଯୋଗ ଉଠିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.