ବେଙ୍ଗାଲୁରୁ ୦୬/୧୨ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡ଼ି କୁମାରସ୍ବାମୀ ଶନିବାର ଦିନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ସହ ହାତ ମିଶାଇ ଜନତାଙ୍କ ଦୀର୍ଘ ୧୨ ବର୍ଷର ବିଶ୍ୱାସକୁ ସେ ହରେଇ ଦେଇଛନ୍ତି। ସେ କହିଛନ୍ତି ଯେ ସେ କଂଗ୍ରେସ ଜାଲରେ ଫସିଯାଇଥିଲେ। ସେ କଂଗ୍ରେସ ନେତା ସିଦ୍ଧରମେୟାଙ୍କ ଉପରେ ଷଡଯନ୍ତା ଆରୋପ ଲଗାଇ କହିଛନ୍ତି ଯେ ବିଜେପି ବି ତାଙ୍କୁ ଏମିତି ଧୋକା ଦେଇନି।
ସିଦ୍ଧରମେୟା କୁମାରସ୍ୱାମୀଙ୍କୁ ଓଲଟା ଆକ୍ରମଣ କରି କହିଛନ୍ତି ଯେ ସେ ମିଛ କହିବାରେ ଗୁରୁ ଏବଂ ଲୁହ ଗଡ଼ାଇବା ତାଙ୍କ ପରିବାରର ପୁରୁଣା ଅଭ୍ୟାସ। କୁମାରସ୍ବାମୀ ମହୀଶୂରରେ କହିଥିଲେ ଯେ, 'ଯଦି ବିଜେପି ସହ ଭଲ ସମ୍ବନ୍ଧ ରଖିଥାନ୍ତି ତାହେଲେ ଆଜି ବି ମୁଖ୍ୟମନ୍ତ୍ରୀ ଥାନ୍ତି। ମୁଁ ୨୦୦୬-୦୭ରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ଭରସା ହାସଲ କରିଥିଲି ଏବଂ ଏହି ବିଶ୍ୱାସ ଓ ଭରସାକୁ ୧୨ ବର୍ଷ ଯାଏଁ ବଜାୟ ରଖିଥିଲି। କିନ୍ତୁ କଂଗ୍ରେସ ସହ ହାତ ମିଶାଇ ମୁଁ ସେ ଭରସା ହରେଇ ଦେଇଛି।' ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ କଂଗ୍ରେସ ସହ ହାତ ମିସାଇବାର ନଥିଲା। କିନ୍ତୁ ଦଳ ସୁପ୍ରିମୋ ଏଚଡ଼ି ଦେବେଗୌଡ଼ାଙ୍କ କାରଣରୁ ମହାମେଣ୍ଟ ସରକାର ପାଇଁ ସେ ରାଜି ହୋଇଥିଲେ।
କୁମାରସ୍ବାମୀ ଆଗକୁ କହିଛନ୍ତି, 'ଦେବେଗୌଡ଼ାଙ୍କ ଭାବନା ଯୋଗୁଁ ସେ ଜାଲରେ ଫସିଗଲେ ଯେଉଁଥିପାଇଁ ସ୍ୱତନ୍ତ୍ର ଭାବେ ୨୮-୪୦ ଆସନ ଜିତୁଥିବା ତାଙ୍କ ଦଳ ଗତ ୩ବର୍ଷ ହେଲା ତାର ଫଳ ଭୋଗୁଛି।'
କୁମାରସ୍ବାମୀ ସ୍ପଷ୍ଟ କରିଛନ୍ତି ଯେ ସେ ଏଥିପାଇଁ ଦେବେଗୌଡ଼ାଙ୍କୁ ଦୋଷ ଦେଉନାହାନ୍ତି। କାରଣ ଧର୍ମ ନିରପେକ୍ଷ ପରିଚୟ ପ୍ରତି ନିଜ ପିତାଙ୍କ ଆଜୀବନ ପ୍ରତିବଦ୍ଧତାକୁ ବୁଝନ୍ତି ଏବଂ ସମ୍ମାନ କରନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନଥିଲା। ସେତେବେଳେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ-ଜେଡିଏସ ମିଶି ସରକାର ଗଠନ କରିଥିଲେ ଏବଂ କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଥିଲା।
ଉଭୟ ଦଳ ମିଶି ଗତବର୍ଷ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହାପରେ ମହାମେଣ୍ଟରେ ଆନ୍ତରିକ କନ୍ଦଳ ସୃଷ୍ଟି ହୋଇଥିଲା। କିଛି ନେତାଙ୍କ ବିଦ୍ରୋହ ଯୋଗୁଁ ମେଣ୍ଟ ମଧ୍ୟ ଭାଙ୍ଗି ଯାଇଥିଲା। କୁମାରସ୍ୱାମୀଙ୍କ ଆରୋପ ଉପରେ ପାଲଟା ଜବାବ ରଖି ସିଦ୍ଧରମେୟା କହିଛନ୍ତି ଯେ, 'କୁମାରସ୍ବାମୀ ମିଛ କହିବାରେ ଗୁରୁ, ସେ ରାଜନୀତିରେ ପରିସ୍ଥିତି ଅନୁସାରେ ମିଛ କହିପାରନ୍ତି। ଜେଡିଏସକୁ ୩୭ ଆସନ ମିଳିବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଣ ମର ଭୁଲ ଥିଲା ?'