ରାଜ୍ୟରେ ଦୁଇ ମାସ ଧରି ଚାଲିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ନୂଆ ମୋଡ ; ଆଜିଠୁ ସ୍ବାଭାବିକ ହୋଇପାରେ କୋର୍ଟ
29/10/2018 at 9:23 AM

କଟକ ୨୯|୧୦: ରାଜ୍ୟରେ ଦୁଇ ମାସ ଧରି ଚାଲିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ନୂଆ ମୋଡ ନେଇଛି। ଆଜିଠୁ ସ୍ବାଭାବିକ ହୋଇପାରେ କୋର୍ଟ କାର୍ଯ୍ୟ । ଏମିତି କିଛି ଆଶାର ଝଲକ ଦେଖିବାକୁ ମିଳିଛି। ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଥିବା ପ୍ରାୟ ୩୦ ହଜାର ଓକିଲ ଆନ୍ଦୋଳନ ବନ୍ଦ କରି ଆଜି କାର୍ଯ୍ୟରେ ଯୋଗ ଦେବା ଲାଗି ଘୋଷଣା କରିଛନ୍ତି । ଦୁଇ ମାସ ଧରି ରାଜ୍ୟରେ ନ୍ୟାୟିକ ଅଚଳାବସ୍ଥା ଯୋଗୁଁ ଜୁନିଅର ଓକିଲଙ୍କ ବହୁତ କ୍ଷତି ହୋଇଛି। ଓକିଲଙ୍କ ଆନ୍ଦୋଳନ ଭିତରେ ରାଜନୀତିର ଗୋଟି ଚାଲୁଥିବା ଅଭିଯୋଗ କରିଛି ବିଜେଡି ଲିଗାଲ ଫ୍ରଣ୍ଟ। ତେଣୁ ଆଜିଠୁ କୋର୍ଟ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ। ତେବେ ଅନ୍ୟ ଗୋଷ୍ଠୀ ଆନ୍ଦୋଳନକୁ ଜାରି ରଖିବାଲାଗି ନିଷ୍ପତ୍ତି ନେଇଛି। ରାଜ୍ୟର ୧୨୦ଟି ବାର୍ ଆସୋସିଏସନ୍ ଏହି ଆନ୍ଦୋଳନ ସହ ନିରବଚ୍ଛିନ୍ନ ଭାବରେ ରହି ଆସିଛନ୍ତି ବୋଲି ଏହାର ସଂପାଦକ କହିଛନ୍ତି। ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁଁ କଏଦୀଙ୍କ ସଂଖ୍ୟାରେ ଜେଲ୍ ଉଛୁଳୁଛି। ଏଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜେଲରେ କ୍ୟାମ୍ପ୍ କୋର୍ଟ ଖୋଲିବ। ଏନେଇ ସବୁ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ। କ୍ୟାମ୍ପ୍ କୋର୍ଟରେ କେବଳ ଜାମିନ୍ ଆବେଦନର ଶୁଣାଣି ହେବ । ଜାମିନ୍ ଆବେଦନ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।