ମାରିପିଟି ଖାଉଥିଲେ, ଅସୁବିଧା ହେବାରୁ ମାରି ଦେଲେ, ହତ୍ୟାକାରୀ ହେଉଛି ମାଲିକଙ୍କ ପୁଅର ଶାଳକ

Published By : Prameya-News7 Bureau | February 08, 2020 IST

ଆଠଗଡ଼୮/୨: ଆଠଗଡ଼ ଥାନାଠାରୁ ୩୦୦ ମିଟର ଏବଂ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ମୃତ ସୌମେନ୍ଦ୍ରଙ୍କ ରୁମ୍‌। ହେଲେ ଥାନା ଅଞ୍ଚଳରେ ଜଣକଙ୍କୁ ମାରି ରାତିଅଧରେ ବାଇକରେ ନେବା ଘଟଣା ପୋଲିସର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି। କଣ ସେହି ଅଞ୍ଚଳରେ ରାତିରେ ପୋଲିସ ପେଟ୍ରୋଲିଂ କରୁ ଥିଲା କି?। ଅନ୍ୟପଟେ ମୃତକଙ୍କ ସଂପର୍କୀୟ ପ୍ରଶାନ୍ତଙ୍କ କହିବା ଅନୁସାରେ ପ୍ରଥମେ ଆଠଗଡ଼ ଥାନା ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ନଥିଲା। ଆଠଗଡ଼ ଏସଡିପିଓଙ୍କ ହସ୍ତକ୍ଷେପ ପରେ ପୋଲିସ ଗୁରୁତର ସହ ତଦନ୍ତ କରିଥିଲା।

ସୌମେନ୍ଦ୍ରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ସାହୁକୁ ପୋଲିସ୍‌ ଗିରଫ କରିଛି ସତ। ହେଲେ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ଲାଗି ରହିଛି। ମୃତ ସୌମେନ୍ଦ୍ରଙ୍କ ପରିବାର ଲୋକଙ୍କ ମନରେ ୟାଡୁସିଆଡୁ ପ୍ରଶ୍ନ ଉଙ୍କି ମାରୁଛି। ସେହି ପ୍ରଶ୍ନର ସତ୍ୟତା ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏଠି ପ୍ରଶ୍ନ ଉଠିଛି ମାତ୍ର ୨୫୦ ବସ୍ତା ସିମେଣ୍ଟ ପାଇଁ କିଏ, କଣ କାହାକୁ ହତ୍ୟା କରି ପାରେ। ଯାହାର ଆନୁମାନିକ ମୂଲ୍ୟ ୮୦ ହଜାରରୁ ଏକ ଲକ୍ଷ ଟଙ୍କା ଭିତରେ ହେବ। ଏହି ହତ୍ୟାକାଣ୍ଡର ପଛରେ ୨୫୦ ବସ୍ତା ସିମେଣ୍ଟ ନା ଆଉ କିଛି ରହସ୍ୟ ରହିଛି।

ଅନ୍ୟପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ଆଉ କାହାର ସାହାଯ୍ୟ ନେଇ ଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି। ଜଣେ ଲମ୍ବା, ଚଉଡା ଟୋକାକୁ ହତ୍ୟା କରି ବାଇକରେ ଧରି ବଣ, ଜଙ୍ଗଲରେ ଏକାକୀ ପୋତିବା ଏହି କଥା କାହିଁକି ହଜମ ହେଉ ନାହିଁ। ପ୍ରଥମଦିନ ସିସିଟିଭି ଫୁଟେଜରେ ସୌମେନ୍ଦ୍ରଙ୍କ ଭଡ଼ା ଘର ପାଖରେ ଗୋଟିଏ କାର ପାର୍କିଂ ହେଉଥିବାର ଦୃଶ୍ୟ ରହିଥିଲା। ପୁଣି ତାର ପର ଦିନ ସିସିଟିଭି ଫୁଟେଜରୁ ଅନ୍ୟ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଭିଯୁକ୍ତ ବିଶ୍ବଜିତ ବାଇକରେ ଗୋଟିଏ ଜରି ଅଖାରେ ସୌମେନ୍ଦ୍ରଙ୍କ ମୃତ ଶରୀରକୁ ଧରି ଯାଉଥିଲା। କିଟ୍‌ କିଟ୍ ଅନ୍ଧାର ରାତିରେ ଅଭିଯୁକ୍ତ ବିଶ୍ବଜିତ ସୌମେନ୍ଦ୍ରଙ୍କ ମୃତ ଶରୀରକୁ ନେଇ ପୋତି ଦେବା ଘଟଣା ସନ୍ଦେହ ଘେରକୁ ଟାଣୁଛି। ସୌମେନ୍ଦ୍ରଙ୍କ ମୃତ ଶରୀରକୁ ପୋତିବା ବେଳେ ଅନ୍ୟ କେହି ସାହାଯ୍ୟ କରିଥିଲା କି?

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଶିବଜ୍ୟୋତି କଷ୍ଟ୍ରକ୍ସନର ମାଲିକ ଅକ୍ଷୟ ସାହୁଙ୍କ ପୁଅର ଶାଳକ ହେଉଛି ଅଭିଯୁକ୍ତ ବିଶ୍ବଜିତ ସାହୁ। ତେଣୁ ମାଲିକଙ୍କ ପୁଅର ଶାଳକ ବିଶ୍ବଜିତ ସୌମେନ୍ଦ୍ରଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେବା ଘଟଣା ମୃତକଙ୍କ ପରିବାର ମନରେ ଥିବା ସନ୍ଦେହକୁ ଆହୁରି ଘନିଭୂତ କରିଛି। ଅନ୍ୟପଟେ ପୋଲିସ  ନିଜ କାର୍ଯ୍ୟରେ ଅବହେଳା କରିଥିବା କଥା ସୌମେନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ନିଜ କାର୍ଯ୍ୟରେ ଅବହେଳା କରିଥିବା ଜଳଜଳ କରି ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.