ସାମାନ୍ୟ ପାଟିତୁଣ୍ଡରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା, ଭାଇରାଲ୍ ହେଉଛି ଭିଡିଓ
22/12/2022 at 10:12 PM

ନୂଆଦିଲ୍ଲୀ, ୧୨/୨୨: ଗହଳି ସ୍ଥାନରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ବ୍ୟକ୍ତି । ସମସ୍ତେ ଦେଖୁଥିଲେ ହେଲେ ପ୍ରତିବାଦ କରୁନଥିଲେ । ଆକ୍ରମଣରେ ଆଖି ବୁଜିଲେ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବଦରପୁର ଅଞ୍ଚଳରେ । ଗତକାଲି ରାତିରେ କେଶବ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ଘଟିଥିବା ବେଳେ ଉପସ୍ଥିତ ଲୋକ ଏସବୁ ଦୃଶ୍ୟ ଚୁପ୍ଚାପ୍ ଦେଖୁଥିଲେ । କେହି ବି ଜଣେ ଯୁବକଙ୍କୁ ସେମାନଙ୍କ କବଳରୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ ।
ଆକ୍ରମଣ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଏହାର କ୍ଲିପ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିରେ ଦୁଇଜଣ ବ୍ୟକ୍ତି କେଶବଙ୍କୁ ଏକ ଅଣ ଓସାରିଆ ଗଳି ଭିତରେ ମୋଟା ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳିଛି । ଅନ୍ୟଜଣେ ବ୍ୟକ୍ତି ଏକ କାତି ଭଳି ଅସ୍ତ୍ର ଧରି କେଶବଙ୍କ ଉପରକୁ ଆକ୍ରମଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଦରମରା ହୋଇଯିବା ପରେ ସେମାନେ ଘଟଣା ସ୍ଥଳ ଛାଡ଼ି ଦୌଡ଼ି ପଳାଉଥିବା ଏହି ଭିଡିଓଟିରେ ଦେଖିବାକୁ ମିଳିଛି ।
Caught On CCTV: Delhi Man Thrashed, Stabbed To Death, People Watch https://t.co/rw4zPd8B5C pic.twitter.com/jGC2T5a5A4
— NDTV (@ndtv) December 22, 2022
କିଛି ଲୋକ ସେହି ଗଳି ଦେଇ ଚାଲି ଚାଲି ଯାଉଥିବା ଏଥିରେ ଦେଖିବାକୁ ମିଳିଛି ।ଆଉ କିଛି ଲୋକ ସେଠାରେ ଉପସ୍ଥିତ ଥିଲେ ବି କେହି ଏହାର ପ୍ରତିବାଦ କରିନଥିଲେ । କେଶବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସ ମେଡିକାଲ୍କୁ ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ତେବେ ପୋଲିସ୍ ଏ ଘଟଣାକୁ ନେଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରାଯାଇଛି । କେଶବଙ୍କ ସହ ଅଭିଯୁକ୍ତ ମାନଙ୍କର ଗତ ସପ୍ତାହରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସେମାନେ ଯୋଜନା କରିଥିଲେ । ତେବେ ଅଭିଯୁକ୍ତ ମାନଙ୍କ ନାମରେ ଥାନାରେ ବିଭିନ୍ନ କେସ୍ ଥିବା ଜଣାପଡ଼ିଛି ।