ସାକ୍ଷୀପଡା ହନୁମାନ ମନ୍ଦିର ପାଖରେ ଗୋଷ୍ଠି ସଂଘର୍ଷ, ଯୁବକଙ୍କୁ ପିଟିପିଟି ହତ୍ୟା !

Published By : Prameya-News7 Bureau | December 16, 2020 IST

ସମ୍ବଲପୁର ୧୬।୧୨: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ବିଗତ ୧୦ ଦିନ ମଧ୍ୟରେ ସମ୍ବଲପୁର ସହର ରେ ୩ଟି ଜଘନ୍ୟ ହତ୍ୟାକାଣ୍ଡ ଘଟି ଗଲାଣି । ପୂର୍ବରୁ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ସମୟ ମଧ୍ୟରେ ଧନୁପାଲି ଥାନା ଅଞ୍ଚଳ ସାକ୍ଷୀପଡା ସ୍ଥିତ ହନୁମାନ ମନ୍ଦିର ନିକଟରେ ସଂଘବଦ୍ଧ ଆକ୍ରମଣ ଯୁବକଙ୍କ ଜୀବନ ଯାଇଛି । ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ବିଜୟ ନାଏକ ।

ଖବର ଅନୁଯାୟୀ,  ବିଳମ୍ବିତ ସଂଧ୍ୟାରେ ହନୁମାନ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ବିଜୟ ନାଏକଙ୍କୁ ଅପର ଗୋଷ୍ଠୀ ଠେଙ୍ଗାରେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଗୁରୁତର ବିଜୟଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ତାଙ୍କ ବାମ ପଟ ଆଖି ବାହାରକୁ ବାହାରିଯାଇଛି । ତେବେ ୧୦ ଦିନ ମଧ୍ୟରେ ୩ଟି ହତ୍ୟାକାଣ୍ଡ ଘଟଣା ସମ୍ବଲପୁରବାସୀଙ୍କୁ ସ୍ତବ୍ଧ କରି ଦେବା ସହିତ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଣୁ ଅପରାଧିଙ୍କ ଉପରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.