ଜମି ବିବାଦ ନେଲା ଜୀବନ, ପଡୋଶୀଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା
6/03/2023 at 7:45 AM

ରାଉରକେଲା ୦୬।୦୩ : ଜମି ବିବାଦ ହେଲା କାଳ । କାଠଫାଳିଆରେ ପିଟି ପିଟି ଜଣଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ପଞ୍ଚାୟତ ହାତୀସଲ ଗାଁରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପୂର୍ବରୁ ଗାଁର ଲକ୍ ନାୟକ ଏବଂ ଚଇତୁ ନାୟକଙ୍କ ପରିବାର ମଧ୍ୟରେ ଜମିକୁ ନେଇ ବିବାଦ ରହିଥିଲା । ରବିବାର ରାତିରେ ପୂର୍ବ ବିବାଦକୁ ନେଇ ଦୁହିଁଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଲକ୍ ନାୟକ ଏକ କାଠ ଫାଳିଆରେ ଚଇତୁ ନାୟକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚଇତୁଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ ଖବର ପାଇ ମହୁଲପଦା ପୋଲିସ ସହ ବଣେଇ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ସେହିପରି ଅଭିଯୁକ୍ତ ଲକ୍ ନାୟକଙ୍କୁ ଅଟକ ରଖିଛି ପୋଲିସ ।