ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ହତ୍ୟା, ଘର ନିକଟରେ ଗୁଳି ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 16, 2022 IST

ପୁରୀ  ୧୬।୦୩ :  ଦିନ ଦ୍ୱିପହରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘର ନିକଟରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ଦିନ ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ଆଜି ତାଙ୍କୁ ଘର ନିକଟରେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏଥିରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଜିରୋ ପଏଣ୍ଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କୃଷ୍ଣଚନ୍ଦ୍ର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଘଟଣାରେ ଜେଲ ଯାଇଥିଲେ ।

ତେବେ କୃଷ୍ଣଚନ୍ଦ୍ରଙ୍କୁ କିଏ କାହିଁକି ହତ୍ୟା କଲା ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ କହିବା ସହ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.