ଗାଁ ଯାତ୍ରାରେ ଠେଙ୍ଗା ଓ ଇଟାମାଡ଼, ପୂର୍ବଶତ୍ରୁତାରୁ ଚାଲିଗଲା ଜଣଙ୍କ ଜୀବନ
20/02/2023 at 11:19 AM

ଖଣ୍ଡପଡା ୨୦।୦୨ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସଂଘବଦ୍ଧ ଭାବେ ଠେଙ୍ଗା ଓ ଇଟାରେ ଛେଚି ଯୁବକଙ୍କୁ ହତ୍ୟା । ଏହି ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି l ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କାଦୁଆପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି l
ଖବର ଅନୁଯାୟୀ, ରବିବାର ରାତିରେ କାଦୁଆପଡ଼ା ଗାଁରେ ଯାତ୍ରା ଚାଲିଥିଲା । ଏହି ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ୨ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା l ପ୍ରଥମେ ଗାଳିଗୁଲଜ ଏବଂ ପରେ ଠେଙ୍ଗା ଓ ଇଟାରେ ଆକ୍ରମଣ ହୋଇଥିଲା l ଯାହାଫଳରେ ଗାଁର ଶରତ କୁମାର ପଣ୍ଡା (୨୭)ଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ବସନ୍ତ କୁମାର ପଣ୍ଡା ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି । କାଦୁଆପଡ଼ା ଗାଁରେ ଏନେଇ ଅସନ୍ତୋଷର ବାତାବରଣ ଦେଖାଦେଇଛି l