ସମ୍ପର୍କୀୟ ମାମୁ ହିଁ ହତ୍ୟାକାରୀ ! ତିନି ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ

Published By : Prameya-News7 Bureau | December 14, 2020 IST

ଜଳେଶ୍ଵର ୧୪।୧୨: ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ୭ ବର୍ଷ ଶିଶୁକନ୍ୟା ନିଖୋଜ ଘଟଣା । ତିନିଦିନ ପରେ ମିଳିଲା ନିଖୋଜ ବିଷ୍ଣୁପ୍ରିୟା ପାତ୍ରର ମୃତଦେହ । ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି  ଖାଲରେ  ପୋତି ଦେଇଥିଲେ ସମ୍ପର୍କୀୟ ମାମୁଁ  ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ । ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୋଲିସର ପଚରାଉଚୁରା ଜାରି ରହିଛି । ସେପଟେ ଘଟଣାସ୍ଥଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ ଆରମ୍ବ କରିଛି  ।  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି  । ତିନି ଦିନହେଲା ନିଖୋଜ ଥିଲା ବିଷ୍ଣୁପ୍ରିୟା ।  

ସୂଚନାଯୋଗ୍ୟ ଯେ, ସୁନ୍ଦୁରିକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ପାତ୍ର ଶୁକ୍ରବାର ସକାଳେ ଟ୍ୟୁସନ ସାରି ୯ଟାରେ ଘରକୁ ଫେରିଥିଲା । ତାପରେ ନିକଟସ୍ଥ ଜମ୍ଭୀରାଇ ଗ୍ରାମରେ ଥିବା ମାମୁ ଘରକୁ ସେ ବୁଲି ଯାଇଥିଲା । ସନ୍ଧ୍ୟାରେ ନେଉଳି ମାମୁ ଘରୁ ନଫେରିବାରୁ ତାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ମାମୁ ଘର ଲୋକେ ନେଉଳି ତାଙ୍କ ଘରକୁ ଯାଇ ନଥିବା କହିଥିଲେ । ପରେ ରାତି ସାରା ନେଉଳିକୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

ପୁଣି ପର ଦିନ ନେଉଳି ନିଖୋଜ ହେବା ଘଟଣା ସଂପର୍କରେ ତାର ଫଟୋଚିତ୍ର ସହ ପାଶ୍ୱର୍ବର୍ତ୍ତୀ ୬ରୁ ୭ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । କିନ୍ତୁ ନେଉଳିର କୌଣସି ସୁରାକ୍‌ ମିଳି ନଥିଲା । ନେଉଳି ନିଖୋଜ ପଛରେ କିଛି ଚୋରା ରାକେଟ କାମ କରୁଛି କିମ୍ବା ଏହା ପଛରେ ମାନବ ଅଙ୍ଗ ଚୋରା ଚାଳାଣକାରୀଙ୍କ ହାତ ରହିଛି ବୋଲି ତା’ ବାପା ବଳରାମ ସନ୍ଦେହ କରିଥିଲେ । ଏନେଇ ସେ ବାଲିଆପାଳ ଥାନାରେ ଏତଲା ଦେବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ସନ୍ଦେହରେ ଅଟକ ରଖିଥିଲା । କିନ୍ତୁ ଆଜି ସକାଳେ ଏକ ଗାତରୁ ବିଷ୍ଣୁପ୍ରିୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ମାମଲାରେ ଜଣେ ସମ୍ପର୍କୀୟ ମାମୁଁଙ୍କୁ ପୋଲିସ ଅଟକ ରଖି ପଚାଉଚୁରା ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.