ଅନରକିଲିଂ ନା ଆତ୍ମହତ୍ୟା ? ପ୍ରେମିକର ବାରିପଟୁ ମିଳିଲା ପ୍ରେମିକାର ମୃତଦେହ

Published By : Prameya-News7 Bureau | August 26, 2021 IST

ବଲାଙ୍ଗୀର ୨୬।୦୮: ପରସ୍ପରକୁ ଭଲ ପାଉଥିଲେ। ଲୁଚି ଲୁଚି ଦେଖା କରୁଥିଲେ ପ୍ରେମିକା ଓ ପ୍ରେମିକ । ହେଲେ ଧରାପଡିଗଲେ ପରିବାର ସହ ଗାଁ ଲୋକଙ୍କ ଆଗରେ। ଆଉ ତା ପରେ ଆରମ୍ଭ ହୋଇଥିଲା ମହାଭାରତ। ସେପଟେ ଝିଅକୁ ଗୁରୁତର ଅବସ୍ଥାରେ ବାରିପଟୁ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ଚାଲିଯାଇଛି ଜୀବନ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅପାମରା ଗାଁରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଗାଁର ସୁବଲ ନାଏକଙ୍କ ଝିଅ ସେହି ଗାଁର ରଜତ ପ୍ରଧାନ ନାମକ ଯୁବକଙ୍କୁ ଭଲ ପାଉଥିଲେ । ବୁଧବାର ଦିନ ତାଙ୍କ ଘର ବାରି ପଟେ ପ୍ରେମିକ ଓ ପ୍ରେମିକା ଭେଟ ହେବା ସହ କଥା ହେଉଥିବାର ଦେଖିଥିଲେ ପରିବାର ଲୋକ। ଏନେଇ ଝିଅର ପରିବାର ଲୋକ ଦୁହିଁଙ୍କୁ ଧରିବାକୁ ଯିବା ବେଳେ ପ୍ରେମିକ ଫେରାର ହୋଇଯାଇଥିଲେ । ପରେ ଝିଅକୁ ଘରକୁ ଆଣିବା ପରେ ତାଙ୍କ ବାପା ସହ କିଛି ପରିବାର ଲୋକ ପୁଅ ଘରକୁ ଯାଇ ସମସ୍ତ ଘଟଣା ସଂପର୍କରେ କହିଥିଲେ। ଏନେଇ ଦୁହିଁଙ୍କୁ ବାହା କରାଇଦେବାକୁ ମଧ୍ୟ କହିଥିଲେ, କିନ୍ତୁ ଏହି କଥାରେ ଉତ୍ୟକ୍ତ ହୋଇ ଝିଅର ବାପା ଓ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ପୁଅର ପରିବାର ଲୋକ।

 ସେପଟେ ଗୁରୁବାର ଦିନ ସକାଳେ  ଝିଅ ପ୍ରେମୀକ ଘରକୁ ଯାଇଥିଲେ।  କିଛି ସମୟ ପରେ ଝିଅକୁ ଗୁରୁତର ଅବସ୍ଥାରେ ପୁଅ ଘରର ବାରିପଟୁ ଉଦ୍ଧାର କରିଥିଲେ ପରିବାର ଲୋକ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ । ତେବେ ପୁଅ ଘର ଲୋକ ଝିଅକୁ ମାରି ଦେଇଥିବା ଆଣିଛନ୍ତି ଅଭିଯୋଗ ପରିବାର । ସେହିପରି  ମୃତ ଝିଅଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ଏନେଇ ଦେଓଗାଁ ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଝିଅ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ଗାଁକୁ ଯାଇ ମଧ୍ୟ ତଦନ୍ତ ଜାରି ରଖିଛି । ତେବେ ପ୍ରେମରେ ଧୋକା ଖାଇବା ଘଟଣା  ଗାଁ ଲୋକ ଜାଣିବା ପରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ଏନେଇ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.