ବିଦ୍ୟୁତ ତାର ବିଛାଇ ଦନ୍ତା ଶୀକାର ଓ ଦାନ୍ତ ଲୁଟ୍ ଘଟଣା : ଦୁଇ ମାସ ପରେ ଦାନ୍ତ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | February 09, 2020 IST

ସୋନପୁର ୦୯।୦୨: ଦାନ୍ତ ପାଇଁ ଦନ୍ତା ହାତୀ ଶିକାର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ସୋନପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ  ସାରସଦାଦର ଜଙ୍ଗଲରେ ଦାନ୍ତ ପାଇଁ ଦନ୍ତା ହାତୀର ଶିକାର କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୩କେଜି ଓଜନର ହାତୀ ଦାନ୍ତ ଜବତ ହୋଇଛି । ବ୍ୟବହାର କରୁଥିବା ଏକ ଗାଡି ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମ ସୁରେନ୍ଦ୍ର କର୍ଣ୍ଣ ଓ କାଳିଆ କର୍ଣ୍ଣ ବୋଲି ଜଣାପଡିଛି ।  

{"id":222151,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସ ୧୯ ତାରିଖରେ ସୋନପୁର କୋଟସମଲାଇ ବିଟର ସାରସଦାଦର ଜଙ୍ଗଲରୁ ଏକ ଗଳିତ ଦନ୍ତା ହାତୀ ମୃତ ଦେହ ଠାବ କରାଯାଇଥିଲା । ଦୁର୍ବୁତ୍ତମାନେ ବିଦ୍ୟୁତ ତାର ବିଛାଇ ହାତୀକୁ ମାରିବା ପରେ  ଶୀକାର କରି ଦାନ୍ତ ଚୋରୀ କରି ନେଇଥିବାର ଅଭିଯୋଗ ହୋଇଥିଲା  । ଏହି  ଘଟଣାରେ ଜଣେ ବନରକ୍ଷୀ ଓ ଜଣେ ବନପାଳଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ । ପୋଲିସ ଓ ବନ ବିଭାଗ ଘଟଣାରେ ତଦନ୍ତ ଜାରି ରଖିଥିଲା ।  ତେବେ ଶନିବାର ଦିନ ହାତୀ ଶିକାର ଘଟଣାରେ ୨ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଦୁଇଜଣ ସଂପର୍କରେ କକା ପୁତୁରା ହେବେ ବୋଲି ଜଣାପଡିଛି । ପୂର୍ବରୁ ଏହି ଘଟଣାରେ  ୫ ଜଣକୁ ଗିରଫ କରିସାରିଥିବା ବନ ବିଭାଗ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ନାକେଦମ ହୋଇଯାଇଥିଲା । ଶେଷରେ ବନ ବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା ।  ବନବିଭାର କର୍ମଚାରୀମାନଙ୍କ ଉଦ୍ୟମ କ୍ରମେ  ୨ଜଣ  ମୁଖ୍ୟ ଅଭିଯୁକ୍ତଙ୍କୁ ହାତୀ ଦାନ୍ତ ସହ ରାଧାନଗର ରାସ୍ତାରୁ ଗିରଫ କରିଛି ବନ ବିଭାଗ ।ଗିରଫ କରାଯାଇ ଉଭୟଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.