ହାଥରସ୍ ଦଳାଚକଟା ଘଟଣା, ଯୋଗୀଙ୍କୁ ଚିଠିରେ କଣ ଲେଖିଲେ ରାହୁଲ ?

Published By : Prameya-News7 Bureau | July 07, 2024 IST

ଉତ୍ତରପ୍ରଦେଶ ୭/୭: ହାଥରସ୍‌ ସତସଙ୍ଗ ଦଳାଚକଟାରେ ମୃତକ ଓ ଆହତଙ୍କୁ ମିଳିଥିବା କ୍ଷତିପୂରଣ ରାଶି ବୃଦ୍ଧି କରନ୍ତୁ ସରକାର । ଏମିତି ଦାବି କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଉ ଏ ସଂପର୍କରେ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରିଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ ଯାଇ ପୀଡିତଙ୍କ ପରିବାରକୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ମାଧ୍ୟମରେ ଲେଖିଛନ୍ତି ପୀଡିତଙ୍କ ପାଇଁ ସରକାର ଘୋଷଣା କରିଥିବା କ୍ଷତିପୂରଣ ରାଶି ବହୁତ କମ୍ । ତୁରନ୍ତ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇ ମୃତକଙ୍କ ପରିବାରକୁ ଦିଆଯାଉ । ଏଥିସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଉଚିତ ।

ଚିଠିରେ ରାହୁଲ ଆହୁରି ଲେଖିଛନ୍ତି ଏପରି ଦୁଃଖ ସମୟରେ ସେମାନଙ୍କୁ ଆମର ସମୂହ ସମବେଦନା ଓ ସାହାଯ୍ୟ ଦରକାର । ଘଟଣାର ସଠିକ ଓ ସ୍ବଚ୍ଛ ତଦନ୍ତ ହେବା ଦରକାର । ନ୍ୟାୟ ଦୃଷ୍ଟିକୋଣରୁ ଦୋଷୀଙ୍କୁ କୋଠର ଦଣ୍ଡ ମିଳିବା ଦରକାର । ଜୁଲାଇ ୨ ତାରିଖ ସଂଧ୍ୟାରେ ହାଥରସ୍‌ରେ ଆୟୋଜନ କରାଯାଇଥିବା ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ଲକ୍ଷର ଅନୁକଂପା ରାଶି ଘୋଷଣା କରିଛନ୍ତି ଯୋଗୀ ସରକାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.