ହାଥରସ୍ ମାମଲାରେ ଆକ୍ସନରେ ମୁଖ୍ୟମନ୍ତ୍ରୀ; ଏସଡିଏମ-ସିଓ, ତହସିଲଦାରଙ୍କ ସମେତ ୬ ସସ୍‌ପେଣ୍ଡ

Published By : Prameya-News7 Bureau | July 09, 2024 IST

ଲକ୍ଷ୍ମୌ: ହାଥରସ୍ ମାମଲାରେ ଆକ୍ସନ ମୋଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦଳାଚକଟା ଘଟଣା ଏସଆଇଟି ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପରେ ହାଥରସ୍ ଏସଡିଏମ-ସିଓ, ତହସିଲଦାରଙ୍କ ସମେତ 6ଜଣ ସସ୍‌ପେଣ୍ଡ ହୋଇଛନ୍ତି । ମଙ୍ଗଳବାର ଏସଆଇଟି ୩୦୦ ପୃଷ୍ଠାର ଯାଞ୍ଚ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା । ଏହା ପରେ ୟୁପି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  ।  

ଜୁଲାଇ ୨ ତାରିଖରେ ହାଥରସରେ ଭୋଲେ ବାବା ସତସଙ୍ଗ ଆୟୋଜନ ହୋଇଥିଲା । ବାବାଙ୍କ ପାଦୁକା ଧୁଳି ନେବା ବେଳେ ଶ୍ରଦ୍ଧାଳୁମାନେ ଠେଲାପେଲା ଓ ଦଳାଚକଟା ହୋଇଥିଲେ । ଏହି ଅଘଟଣରେ ୧୨୧ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଏହାର ନିରପେକ୍ଷ ତଦନ୍ତ ପାଇଁ ୟୁପି ସରକାର ଯାଞ୍ଚ କମିଟି ଗଠନ କରିଥିଲେ । 

ଏସଆଇଟିର ୩ଶହ ପୃଷ୍ଠାର ରିପୋର୍ଟରେ ଜୁଲାଇ ୨ ତାରିଖରେ ହୋଇଥିବା ଘଟଣା ସମସ୍ତ ତଥ୍ୟ ରହିଛି । ଏଥିରେ ସତସଙ୍ଗ୍ ଆୟୋଜନ କରିଥିବା କମିଟିକୁ ଟାର୍ଗେଟ୍ କରାଯାଇଛି । ଆୟୋଜନ କମିଟିର ବେପରୁଆ ମନୋଭାବ, ସୀମିତ ସୁରକ୍ଷା ବ୍ୟବସ୍ଥା ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଛି । ସେହିପରି  ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ହେଲେ ଯାଞ୍ଚରେ କେଉଁଠି ବି ଆତ୍ମଘୋଷିତ ବାବା ସାକାର ବିଶ୍ବ ହରିଙ୍କ ବିରୋଧରେ ଲେଖାଯାଇନାହିଁ । ଏସଆଇଟି ନିଜ ତଦନ୍ତ ରିପୋର୍ଟରେ ଭୋଲେ ବାବାଙ୍କୁ ଏକ ପ୍ରକାର କ୍ଲିନ୍ ଚିଟ୍ ଦେଇଦେଇଛି । 

ଏସଆଇଟି ନିଜ ୩ଶହ ପୃଷ୍ଠା ରିପୋର୍ଟରେ ୧୧୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏଥିରେ ହାଥରସ୍ ଜିଲ୍ଲାପାଳ ଆଶିଷ୍ କୁମାର, ଏସପି ନିପୁଣ ଅଗ୍ରଓ୍ବାଲଠୁ ନେଇ କରି ସତସଙ୍ଗକୁ ଅନୁମତି ଦେଇଥିବା ଏସଡିଏମ୍ ଏବଂ ସିଓ ସିକନ୍ଦରାଓ ଏବଂ ୨ ଜୁଲାଇରେ ସତସଙ୍ଗ ଡ୍ୟୁଟିରେ ଥିବା ପୋଲିସ୍ କର୍ମୀ ମାନଙ୍କର ମଧ୍ୟ ବୟାନ ସାମିଲ୍ ରହିଛି । ଏହାଛଡ଼ା ମୃତକଙ୍କ ପରିବାର ଲୋକ ଏବଂ ଆହତ ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ସୂଚନା ଅନୁଯାୟୀ, ଯାଞ୍ଚ ରିପୋର୍ଟରେ ସତସଙ୍ଗ୍ ଆୟୋଜନ କରିଥିବା କମିଟି ଦ୍ବାରା ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା ନକରିବା ଏବଂ ଏହାକୁ ଅନୁମତି ଦେଇଥିବା ଅଫିସର ଏଭଳି ଦଳାଚକଟା ପାଇଁ ଦାୟୀ  ବୋଲି କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.